ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ରକ୍ତଦାନ ଶିବିରର ଆୟୋଜନ ନ ହେବାରୁ ତଥା ରକ୍ତଭଣ୍ଡାରର ରକ୍ତର ଅଭାବ ହେବା କାରଣରୁ ରକ୍ତଟିଏ ନ ପାଇ ରୋଗୀ ହନ୍ତସନ୍ତ ହେବା ସହିତ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ ରକ୍ତଦାନ ଶିବିର ଆୟୋଜନ କରୁଥିବା ଅନୁଷ୍ଠାନଙ୍କୁ ଡକାଯାଇଛି ଏକ ବୈଠକ କରାଯାଇଛି।
ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳର ବିଭିନ୍ନ ସାମାଜିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓ ସ୍ବେଚ୍ଛାସେବୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଛନ୍ତି। ଏଥିସହିତ ରକ୍ତଭଣ୍ଡାରରେ ଖାଲି ପଡ଼ିଥିବା ଶିବିର ସଂଯୋଜକ ଓ କାଉନସିଲର ପଦବୀ ପୂରଣ ନିମନ୍ତେ ଅନୁରୋଧ କରିଥିଲେ। ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ଆୟୋଜକଙ୍କୁ ଓଡ଼ିଶା ରକ୍ତଭଣ୍ଡାର ପକ୍ଷରୁ ଆବଶ୍ୟକୀୟ ଡୋନର କାଉଚ୍ ଓ ଆନୁସଙ୍ଗିକ ଆସବାବପତ୍ର ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରିବାକୁ ସାକ୍ଷାତ ପାଇଁ ଯାଇଥିବା ପ୍ରତିନିଧିଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି।
ଆଗାମୀ ଜୁନ୍ ୧୪ ତାରିଖ ବିଶ୍ବ ରକ୍ତଦାନ ଦିବସ ଥିବାରୁ ରକ୍ତ ଭବନରେ ଆୟୋଜିତ ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ରକ୍ତ ଦାତା ସ୍ବେଚ୍ଛାକୃତ ରକ୍ତ ଦାନ କରନ୍ତୁ ବୋଲି ଆହ୍ବାନ କରାଯାଇଛି। ଏ ଅବସରରେ ଉତ୍କର୍ଷ ପରିବାରର ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ଚିନ୍ମୟୀ ଦାସ, ଶକ୍ତି ପ୍ରସାଦ ପଟ୍ଟନାୟକ, ଆଇନଜୀବୀ ପ୍ରଦୀପ ଦେବତା, ଶିବାଶିଷ କର, ଲିଟୁନ୍ ସାହୁ, ଭୀଷ୍ମ ସାହୁ, ମହେଶ ଭୋମରାଜ ଓ ଲୋହିତ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।