ଅନୁଗୁଳ: କଳାକାର ପକ୍ଷରୁ ଆୟୋଜିତ ୪୦ ତମ ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦଳଗତ ଲୋକ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅନୁଗୁଳର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଓ ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲ ଅତିଥି ରୂପେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶ୍ରୀ ତ୍ରିପାଠୀ ପ୍ରାଚୀନ କଳିଙ୍ଗର ଗୌରବୋଜ୍ଜ୍ଵଳ ନୌବାଣିଜ୍ୟ ପରମ୍ପରାର ସ୍ମୃତି ରୋମନ୍ଥନ କରିଥିବା ବେଳେ ଶ୍ରୀ ସାମଲ ଜିଲ୍ଲାରେ କଳା ସଂସ୍କୃତି ର ବିକାଶ ଦିଗରେ କଳାକାର ଅନୁଷ୍ଠାନର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ।
ପ୍ରତିଯୋଗିତାର ତିନି ବିଚାରକ ଗୁରୁ ଶ୍ରୀ ଶରତ ପାଣି,ସନାତନ ନାୟକ ଓ ଶାନ୍ତନୁ ନାୟକଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମୃତି ଫଳକ ମାନପତ୍ର ଦିଆଯାଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସମାରୋହରେ କଳାକାରର ଉପଦେଷ୍ଟା ଭୂପେଷ ଚନ୍ଦ୍ର ପ୍ରଧାନ, ଡ଼ା କୃଷ୍ଣ ଚନ୍ଦ୍ର ଦାସ, କ୍ଷୀରୋଦ ପାତ୍ର, ସଭାପତି ବିରେନ୍ଦ୍ର କୁମାର ପ୍ରଧାନ ଓ ସମ୍ପାଦକ ବିଦ୍ୟାଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ବୈରାଗୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ଏହାପରେ ଦଳଗତ ଲୋକ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ବିଭିନ୍ନ ନୃତ୍ୟାନୁଷ୍ଠାନର କଳାକାର ମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ଅଭିଭୂତ କରିଥିଲେ।
ସକାଳ ବେଳା ବିଭିନ୍ନ ବର୍ଗର ଲଘୁ କଣ୍ଠ ସଙ୍ଗୀତ ପ୍ରତିଯୋଗିତା, ତବଲା,କି ବୋର୍ଡ ବାଦ୍ୟ ଯନ୍ତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବୁଧବାର ଉଦଯାପନୀ ସନ୍ଧ୍ୟାରେ ସମସ୍ତ ବିଜୟୀ ମାନଙ୍କୁ ପୁରସ୍କୃତ କରାଯିବ। ଓଡ଼ିଶାର ପ୍ରସିଦ୍ଧ ଗାୟକ ଶକ୍ତି ମିଶ୍ର ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଯୋଗଦେବେ ବୋଲି ଆୟୋଜକ ମାନେ ଜଣାଇଛନ୍ତି।
