ସରକାରୀ କାର୍ଯ୍ୟାଳୟରେ ପୁଣି ସକ୍ରିୟ ଦଲାଲ! ସକାଳୁ ସଞ୍ଜ ଯାଏ ଅଫିସ ବାରଣ୍ଡାରେ ପଡୁଛି ଡେରା

You are currently viewing ସରକାରୀ କାର୍ଯ୍ୟାଳୟରେ ପୁଣି ସକ୍ରିୟ ଦଲାଲ! ସକାଳୁ ସଞ୍ଜ ଯାଏ ଅଫିସ ବାରଣ୍ଡାରେ ପଡୁଛି ଡେରା

ଅନୁଗୁଳ: ଦୀର୍ଘଦିନ ଅନ୍ତରରେ ପୁଣି ଥରେ ଅନୁଗୁଳ ସହର ମଧ୍ୟରେ ସକ୍ରିୟ ହୋଇଛି ଦଲାଲ ଗୋଷ୍ଠୀ। ଏଥର କିନ୍ତୁ ଅଲଗା ଯୋଜନାରେ ଲୋକଙ୍କ ଠାରୁ ଲୁଟ କରିବାର ଯୋଜନା କରୁଛନ୍ତି। ସକାଳୁ ସଞ୍ଜ ଯାଏ ସରକାରୀ କାର୍ଯ୍ୟଳୟ ବାରଣ୍ଡାରେ ଏମାନଙ୍କୁ ବୁଲୁଥିବା ଦେଖାଯାଉଛି। ଚକଚକିଆ ଫର୍ମାଲ ସାର୍ଟ ସାଙ୍ଗକୁ ଇସ୍ତ୍ରୀ ଦିଆ ପ୍ୟାଂଟ। ଏମିତିକି ପୁରା ଅଫିସର କାଏଦାରେ ଏମାନେ ଅଫିସ ଆଗରେ ବୁଲୁଛନ୍ତି। ଯାହା ଫଳରେ ସରଳିଆ ଲୋକ ଏମାନଙ୍କୁ ସହଜରେ ବିଶ୍ୱାସ କରିଯାଉଛନ୍ତି।

ଏହି ଅଫିସର ରୂପଧାରୀ କିଛି ସରକାରୀ ବାବୁଙ୍କ ଚା’ ଜଳଖିଆ ବ୍ୟବସ୍ଥା ମଧ୍ୟ କରୁଥିବା ଦେଖାଯାଇଛି। ସେତିକିରେ ଅଟକି ନାହିଁ ଏମାନଙ୍କର କାର୍ଯ୍ୟ। ସରକାରୀ କାର୍ଯ୍ୟାଳୟ ମଧ୍ୟକୁ ଏମାନଙ୍କୁ ଅବାଧ ପ୍ରବେଶ ରହିଥିବା ଦେଖାଯାଇଛି। ଏପରିକି କୌଣସି ସରକାରୀ ବୈଠକ ହେଲେ ଏମାନେ ତାକୁ ଆୟୋଜନ କରୁଛନ୍ତି। ବିଶେଷ କରି ତହସିଲ, ସବରେଜିଷ୍ଟ୍ରର ଏବଂ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏପରି କିଛି ଅସାଧୁ ବ୍ୟକ୍ତିଙ୍କ ଲମ୍ବା ଧାଡି ଲାଗୁଛି। ନବ ନିର୍ବାଚିତ ଜନ ପ୍ରତିନିଧିଙ୍କ ପାଖ ଲୋକ କହି ପ୍ରଥମେ ଅଫିସରଙ୍କ ନିକଟତର ଆଉ ପରେ ବେପାର ଆରମ୍ଭ। ସାଧାରଣ ଲୋକଟିଏ ସରକାରୀ ବିଧି ବ୍ୟବସ୍ଥାରୁ ଅଜ୍ଞ ଥିବା ବେଳେ ଆମେ ତୁମ କାମ କରିଦେବୁ କହି ଭରସା ଦେଉଛନ୍ତି। ଆଉ ସରକାରୀ ବାବୁଙ୍କ ସହ ଭେଟ କରାଇ ତୁମ କାମ ହୋଇଯିବ କହୁଛନ୍ତି। ଅଫିସ ବାହାରେ ମୂଲଚାଲ ଛିଣ୍ଡିବା ପରେ ହିଁ ଆରମ୍ଭ ହେଉଛି କାର୍ଯ୍ୟ।

ସାଧାରଣ ଲୋକଟିଏ ଏହି ସବୁ ସରକାରୀ କାର୍ଯ୍ୟାଳୟକୁ ଗଲେ ଅଧିକାରୀଙ୍କ ଦେଖା ମିଳୁନାହିଁ। କିନ୍ତୁ ଏହି ଦଲାଲ ମାନେ ଅଫିସର ମାଲିକ ଭଳି ୨୪ଘଣ୍ଟା ଅଫିସ ବାରଣ୍ଡାରେ ଜଗି ବସୁଛନ୍ତି। ଏହାର ଫାଇଦା ନେଇ ସହର ମଧ୍ୟରେ ବେଇଆନ ଭାବେ ମାଟି ଚୋରା ଚାଲାଣ, ବାଲି ଚାଲାଣ ଆଦି କାର୍ଯ୍ୟରେ ଏମାନେ ସିଦ୍ଧହସ୍ତ ପାଲଟିଛନ୍ତି। ଜିଲାପାଳ ଏହି ସବୁ ଘଟଣା ଉପରେ ନଜର ଦେବା ସହ ସରକାରୀ କାର୍ଯ୍ୟାଳୟ ଗୁଡିକ ଏଭଳି ଦଲାଲଙ୍କ କବଳରୁ ମୁକ୍ତି କରିବା ପାଇଁ ଲୋକେ ଦାବି କରିଛନ୍ତି।

Share

Leave a Reply