କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ: ନାଲକୋର ରେକର୍ଡ ଲାଭ ପାଇଁ ଶ୍ରମିକଙ୍କୁ ମିଳିପାରେ ବୋନସ୍‌

You are currently viewing କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ: ନାଲକୋର ରେକର୍ଡ ଲାଭ ପାଇଁ ଶ୍ରମିକଙ୍କୁ ମିଳିପାରେ ବୋନସ୍‌

ଅନୁଗୁଳ: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ‘ଉତ୍ପାଦନ ପ୍ରୋତ୍ସାହନ ରାଶି’ ବା ପ୍ରଡକ୍ସନ ଗିଫ୍ଟ ଘୋଷଣା କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ନାଲକୋ କର୍ମଚାରୀଙ୍କ କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଆର୍ଥିକ ବର୍ଷ ୨୦୨୪-୨୫ରେ କମ୍ପାନୀ ୭,୧୩୫ କୋଟି ଟଙ୍କାର ରେକର୍ଡ ଲାଭ ହାସଲ କରିଥିବାରୁ, ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଏହି ପଦକ୍ଷେପ ଜରୁରୀ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।
ଭାରତୀୟ ମଜଦୁର୍ ସଂଘ (ବିଏମଏସି) ସମନ୍ୱୟ କମିଟିର ପ୍ରସ୍ତାବକୁ ଆଧାର କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମୁଦାୟ ଲାଭର କିଛି ଅଂଶକୁ କର୍ମଚାରୀଙ୍କୁ ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଗଲେ ତାହା ସେମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବ। ପୂର୍ବରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ସମାନ ଭାବେ ଏହି ସୁବିଧା ଦିଆଯାଇଥିଲା, ଯାହା ବେଶ୍ ସଫଳ ହୋଇଥିଲା। ଏହି ନିଷ୍ଠାପର ଶ୍ରମିକମାନଙ୍କ କଲ୍ୟାଣ ଓ ସଂସ୍ଥାର ଉନ୍ନତି ପାଇଁ ସହୃଦୟତାର ସହ ବିଚାର କରିବାକୁ ସେ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହି ସାକ୍ଷାତକାର ସମୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଏବଂ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ବିଏମଏସି ସମନ୍ୱୟ କମିଟିର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ପ୍ରୋତ୍ସାହନ ରାଶି ଫଳରେ ଆଗାମୀ ଦିନରେ ନାଲକୋର ଉତ୍ପାଦନ କ୍ଷମତା ଓ ଲାଭ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।

Share

Leave a Reply