ନୋଟ ବଦଳରେ ସାଦା କାଗଜ ବିଡା ଦେଇ ଠକୁଥିବା ଗ୍ୟାଙ୍ଗକୁ ବାନ୍ଧିଲା ଅନୁଗୁଳ ପୋଲିସ, ୩ ଗିରଫ

You are currently viewing ନୋଟ ବଦଳରେ ସାଦା କାଗଜ ବିଡା ଦେଇ ଠକୁଥିବା ଗ୍ୟାଙ୍ଗକୁ ବାନ୍ଧିଲା ଅନୁଗୁଳ ପୋଲିସ, ୩ ଗିରଫ

ଅନୁଗୁଳ: ନୋଟ ବଦଳରେ କାଗଜ ବିଡ଼ା ଦେଇ ଠକିବା ଅଭିଯୋଗରେ ଅନୁଗୁଳ ଟାଉନ୍ ଥାନା ପୋଲିସ ତିନି ଜଣ ଠକଙ୍କୁ ଗିରଫ କରିଛନ୍ତି। ଏହି ଠକମାନେ ୫୦୦ ଟଙ୍କିଆ ନୋଟ ବଦଳରେ ଅଧିକ ପରିମାଣର ୧୦୦ ଟଙ୍କିଆ ନୋଟ ଦେବା ବାହାନାରେ ଲୋକଙ୍କୁ ସାଦା କାଗଜ ବିଡା ଦେଇ ଠକୁଥିଲେ।

ସୂଚନା ଅନୁସାରେ, ଅନୁଗୁଳ ମାଟିଆସାହି ଅଞ୍ଚଳର ପଦ୍ମ ଲୋଚନ ପ୍ରଧାନଙ୍କୁ କିଛି ଅଜଣା ଲୋକ ୧୦୦ ଟଙ୍କିଆ ନୋଟକୁ ଚେଞ୍ଜ୍ କରିବା ପାଇଁ ଚାହୁଁଛନ୍ତି ବୋଲି କହିଥିଲେ। ଦୁଇ ଲକ୍ଷ ଟଙ୍କା ପ୍ରତି ବଦଳରେ ସେମାନେ ଅଢେଇ ଲକ୍ଷ ଦେବେ ବୋଲି କହିଥିଲେ। ଏ କଥା ଶୁଣି ପଦ୍ମ ଲୋଚନ ଲୋଭରେ ବୁଢୀ ଠାକୁରାଣୀ ଛକ ପାଖରୁ ଦୁଇ ଲକ୍ଷ ଟଙ୍କା ନେଇ ଆସିଥିଲେ। କିନ୍ତୁ ଅଜଣା ଲୋକମାନେ ତାଙ୍କୁ ଏକ ହ୍ୟାଣ୍ଡ ବ୍ୟାଗ୍ ଧରାଇ ତାଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ନେଇ ଥିଲେ। ପଦ୍ମ ଲୋଚନ ଘରକୁ ଯାଇ ବ୍ୟାଗ୍ ଖୋଲି ଦେଖିବା ବେଳକୁ ଭିତରେ ଖାଲି କାଗଜ ବଣ୍ଡଲ ଥିଲା। ଏନେଇ ସେ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୫୬/୨୩ ରେ ଏକ ମାମଲା ରୁଜୁ କରିଥିଲା।

ସେହିପରି ତୁରଙ୍ଗ ଅଞ୍ଚଳର ପାର୍ଥ ସାରଥି ସାହୁଙ୍କୁ ୧୦ ଲକ୍ଷ ଟଙ୍କା ଦେଲେ ୧୨ ଲକ୍ଷ ଟଙ୍କା ମିଳିବ ବୋଲି କହି ଏକ ହ୍ୟାଣ୍ଡ ବ୍ୟାଗ୍ ଧରାଇ ଠକି ଦେଇଥିଲେ। ପାର୍ଥ ସାରଥି ଘରକୁ ଯାଇ ବ୍ୟାଗ୍ ଖୋଲି ଦେଖିବା ବେଳକୁ ଭିତରେ ଖାଲି କାଗଜ ବଣ୍ଡଲ ଥିଲା। ଏ ନେଇ ସେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ଟାଉନ୍ ଥାନା ୫୧୨/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ତେବେ ସେହି ଅଜଣା ଲୋକ ମାନେ ବିଜୁ ମଇଦାନ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଟଙ୍କା ବଦଳେଇବା କହି ଅପେକ୍ଷା କରିଥିବା ବେଳେ ଟାଉନ ଥାନା ପୋଲିସ ଖବର ପାଇ ପହଞ୍ଚି ତିନି ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ପୁରୀ ଜିଲ୍ଲା କଣ୍ଟିଆ ଅଞ୍ଚଳର ରଘୁନାଥ ମିଶ୍ର, କଟକ ଜିଲ୍ଲା ଧମରାର ଦେବେନ୍ଦ୍ର ବଳ, ପୁରୀ ଜିଲ୍ଲା ବତିସୁଆଁର କିଶୋର ଚନ୍ଦ୍ର ବିଶ୍ଵାଳ। ତାଙ୍କ ଠାରୁ ନଗଦ ୩୫,୭୪୫ ଟଙ୍କା ସହ ଗୋଟିଏ ମାରୁତି ସିଆଜ କାର, ୫ ଟି ମୋବାଇଲ ଫୋନ, ଦୁଇଟି ଚଷମା, ୬ ଟି ହ୍ୟାଣ୍ଡ ବ୍ୟାଗ୍, ୩ ଟି ପକେଟ ନୋଟ ବୁକ୍, ୪ ଟି ଛୋଟ ତାଲା ସହ ଚାବି ପନ୍ଥା, ୩ ଟି ଏଟିଏମ, ପାନ କାର୍ଡ, ଆଧାର କାର୍ଡ, ଶ୍ରମ କାର୍ଡ, ଡିଏଲ ସହ ଏକ ହ୍ୟାଣ୍ଡ ବ୍ୟାଗ୍ ରେ ଟଙ୍କା ଭଳି ଦିଶୁଥିବା ୧୨ ବଣ୍ଡଲ ସାଦା କାଗଜ ଜବତ କରିଛି।

Share

Leave a Reply