ବାଲ୍ୟ ବିବାହ କରାଇବା ସହ ଶ୍ରମିକ ଭାବେ ଖଟାଇବା ଅଭିଯୋଗ: ୨ ନାବାଳିକା ଓ ଜଣେ ନାବାଳକ ଉଦ୍ଧାର, ମହିଳା ଅଟକ

You are currently viewing ବାଲ୍ୟ ବିବାହ କରାଇବା ସହ ଶ୍ରମିକ ଭାବେ ଖଟାଇବା ଅଭିଯୋଗ: ୨ ନାବାଳିକା ଓ ଜଣେ ନାବାଳକ ଉଦ୍ଧାର, ମହିଳା ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତଥା ପୋଲିସ ଚଢ଼ଉ କରି ୨ ଜଣ ନାବାଳିକା ଏବଂ ଜଣେ ନାବାଳକଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁସାରେ, ସ୍ଥାନୀୟ କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଥାନା ସ୍ଥିତ ଖିଣ୍ଡୋ ଗ୍ରାମର ଦୟାନିଧି ନାଏକଙ୍କ ପତ୍ନୀ ବିଜୁଳି ନାଏକ ସ୍ଥାନୀୟ ଅଞ୍ଚଳର ଛୋଟ ଛୋଟ ପୁଅ ଝିଅଙ୍କୁ ନେଇ ଭୁବନେଶ୍ବରରେ ଏକ କୋଠା ନିର୍ମାଣ କାର୍ଯ୍ୟରେ ଲଗାଉଛନ୍ତି। ଏପରିକି ତାଙ୍କ ପୁଅ ତପନ ନାଏକ ଓରଫ୍ ଭୀମ ଏବଂ ରେଙ୍ଗାଳି ଥାନା ଲୋଧାଝରି ଗ୍ରାମର ଅଖିଳ ପଦିଲଙ୍କ ଝିଅ ମାମାଲୀ ପଦିଲ (୧୬) ଉଭୟ ବାଲ୍ୟ ବିବାହ କରି ସେଠାରେ ଦୀର୍ଘ ୬ ମାସ ହେଲା ରହିଆସୁଛନ୍ତି। ଏଥିସହ କୁଣ୍ଢେଇଗୋଳା ଥାନା କୁଶଖଳିଆ ଗ୍ରାମର ହାଡ଼ିବନ୍ଧୁ ନାଏକଙ୍କ ଝିଅ ଝରଣା ନାଏକଙ୍କୁ ମଧ୍ୟ ତାଙ୍କ ସାଥିରେ ରଖି ଶ୍ରମ କାର୍ଯ୍ୟରେ ନିୟୋଜିତ କରୁଥିଲେ।

କିଛି ଦିନ ହେଲା ସେମାନେ ଘରକୁ ଆସିଥିବା ବେଳେ ଆଜି ବସରେ ଭୁବନେଶ୍ୱର ଯାଉଥିବାର ଖବର ପାଇ ସି .ଆଇ. ଡି. ଇନ୍ସପେକ୍ଟର ତପନ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ତଥା ପୋଲିସକୁ ସୂଚନା ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏକ ସ୍ବତନ୍ତ୍ର ଟିମ୍ ଉକ୍ତ ବସକୁ ପିଛା କରି ମହୀଧରପୁର ଛକରେ ଚଢାଉ କରି ଦୁଇ ନାବାଳିକା ଓ ଜଣେ ନାବାଳକକୁ ଉଦ୍ଧାର କରିଛି। ମାମାଲି ଓ ତପନ ଲୁଚି ଛପି ବାଲ୍ୟ ବିବାହ କରିଥିବା ବେଳେ ଝରଣା ଶିଶୁ ଶ୍ରମିକ ଭାବରେ ଶ୍ରମ କରିବା ଆଧାରରେ ସେମାନଙ୍କୁ କାଉନସେଲିଂ ସପୋର୍ଟ ପାଇଁ ୫ ଦିନ ନିମନ୍ତେ ଥଇଥାନ କରାଯାଇଛି। ବିଜୁଳି ନାଏକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ଏହି ଚଢ଼ଉରେ ଅନୁଗୁଳ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ସାହୁ, ଜିଲ୍ଲା ସଂଯୋଜକ ବାଲ୍ୟ ବିବାହ ଆକ୍ସନ ଏଡ୍ ସନ୍ତୋଷ କୁମାର ବେହେରା, ସିଡବ୍ଲ୍ୟୁସି ସଦସ୍ୟ ମମତା ପ୍ରଧାନ, କଲ୍ୟାଣ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଦସ୍ୟ ଛଇଳ ମଲ୍ଲିକ ଏବଂ ମହୀଧରପୁର ଫାଣ୍ଡି ଅଧିକାରୀ ଉପସ୍ଥିତ ଥିଲେ।

Share

Leave a Reply