ସରକାରୀ ଜମିକୁ ନେଇ ପିଟାପିଟି, ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ; ତଦନ୍ତ ପାଇଁ ଏସପିଙ୍କ ନିର୍ଦ୍ଦେଶ

You are currently viewing ସରକାରୀ ଜମିକୁ ନେଇ ପିଟାପିଟି, ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ; ତଦନ୍ତ ପାଇଁ ଏସପିଙ୍କ ନିର୍ଦ୍ଦେଶ

ଅନୁଗୁଳ: ସରକାରୀ ଜମିକୁ ନେଇ ମାରପିଟ ହୋଇ ଉଭୟ ପକ୍ଷ ବନ୍ତଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ଗାଁର ବନ୍ତଳା ମତ୍ସ୍ୟ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ୩୬ ଡିସିମିଲିର ଏକ ସରକାରୀ ଜମି ରହିଛି। ଏହି ଜମି ସୀମାକୁ ଲାଗି ଲାଛବନ୍ଧ ଗାଁର ରୋହିତ ନାଏକ ୪ ଡେସିମିଲି କିଣି ଉକ୍ତ ଜମିକୁ ଯିବା ପାଇଁ ସରକାରୀ ଜମି ଦେଇ ରାସ୍ତା ବାହାର କରିବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗତ ୧ ତାରିଖରୁ ବିବାଦ ଲାଗିରହିଥିଲା।

ଏନେଇ ଉଭୟ ପକ୍ଷ ବନ୍ତଳା ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ତେବେ ସମାଧାନ ନହେବା ପର୍ଯ୍ୟନ୍ତ ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ ଉକ୍ତ ସରକାରୀ ଜମିକୁ ନଯିବା ପାଇଁ ଉଭୟ ପକ୍ଷ ଥାନାରେ ଏକ ଚୁକ୍ତିନାମା କରିଥିଲେ। ହେଲେ ରବିବାର ସକାଳେ ଶଙ୍ଖପୁର ଗ୍ରାମର କେତେକ ବ୍ୟକ୍ତି ଉକ୍ତ ସରକାରୀ ଜମିକୁ ତାର ବାଡ଼ ଦେଉଥିବା ଦେଖି ରୋହିତ ଓ ତାଙ୍କ ସ୍ତ୍ରୀ ବିରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ ହାତାହାତି ହୋଇଥିବା ନେଇ ବନ୍ତଳା ଥାନାରେ ରୋହିତଙ୍କ ସ୍ତ୍ରୀ ନନ୍ଦିନୀ ନାଏକ ଲିଖିତ ଅଭିଯୋଗ କରିଥିଲେ। ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ସଂଘବଦ୍ଧ ଆକ୍ରମଣ ସହ ମୁଣ୍ଡ ଫଟେଇ ଦେଇଛନ୍ତି।

ଅପରପକ୍ଷରେ ଶଙ୍ଖପୁର ଗ୍ରାମବାସୀ ପକ୍ଷରୁ ଏକ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗ୍ରାମବାସୀ ବାଡ଼ାବନ୍ଦି ପାଇଁ ରଖିଥିବା ସିମେଣ୍ଟ ବସ୍ତାରେ ବାଇକରେ ଆସି ଧକ୍କା ହେବା ଫଳରେ ରୋହିତଙ୍କ ମୁଣ୍ଡଫାଟିଛି। ଏନେଇ ଉଭୟ ପକ୍ଷଙ୍କ ଏତଲାକୁ ନେଇ ବନ୍ତଳା ପୋଲିସ ମାମଲା ରୁଜୁ କରିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ସମୀର ପଣ୍ଡା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

Share

Leave a Reply