ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣ ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ ଖଣିରୁ ଖୋଲାମେଲାରେ କୋଇଲା ପରିବହନ। ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳ ଆଞ୍ଚଳିକ ଅଧିକାରୀ ଜିଲ୍ଲାର ୧୧ଟି ଖଣି ଓ କୋଲ ୱାସେରିକୁ ଚିଠି କରିଥିବା ଜଣାପଡ଼ିଛି।ସୂଚନା ମୁତାବକ, ୨୦୨୦ମସିହା ମେ୨୧ ତାରିଖରେ ଭାରତ ସରକାରଙ୍କ ପକ୍ଷରୁ ଜାରି ଗେଜେଟ ନୋଟିଫିକେସନ ମୁତାବକ ରେଳ ୱାଗନ ମାଧ୍ୟମରେ ଖୋଲାମେଲାରେ କୋଇଲା ପରିବହନ କରାଯାଇପାରିବ ନାହିଁ। ହେଲେ ଏସବୁ ନିୟମକୁ ଅଧିକାଂଶ କମ୍ପାନୀ ଏବଂ ଖଣି କର୍ତ୍ତୃପକ୍ଷ ପାଳନ କରୁନଥିବା ଦେଖାଯାଉଛି। ଏନେଇ ଅନେକ ଥର ସାଧାରଣ ଲୋକଙ୍କ ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି। ଅନୁଗୁଳ ବାୟୁ ମଣ୍ଡଳ ପ୍ରଦୂଷଣ କାରଣରୁ ଗତ ମେ ମାସ ୨୧ ତାରିଖରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ମଧ୍ୟ ଚିଠି କରାଯାଇଛି। ଉନ୍ନତ ମାନର ତାରପୋଲିନ୍ ଚାଦର ସହ ରଶି ମାଧ୍ୟମରେ କୋଇଲ ବୋଝେଇ ରେଳ ୱାଗନ ଗୁଡିକୁ ଘୋଡେଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରେଳ ବିଭାଗର ଡିଭିଜିନାଲ କମରସିୟାଲ ମ୍ୟାନେଜର ରେଳ ବିଭାଗର ସମସ୍ତ ଅଧସ୍ତନ କର୍ମଚାରୀଙ୍କୁ ଏହାର ନକଲ ପଠାଇଥିବା ଜଣାପଡିଛି।
ନିୟମ ମାନି କୋଇଲା ପରିବହନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ସମସ୍ତ ବିଭାଗ ନୀତିନିୟମ ଜାରି କରିବା ପରେ ମଧ୍ୟ କୋଇଲା ପରିବହନରେ କୌଣସି ପରିବର୍ତ୍ତନ ନଆସିବାରୁ ବୁଧବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ ଆର.ଏ ଏକା ଜିଲ୍ଲାର ଅନନ୍ତ,ବଳରାମ, ଭରତପୁର,ଭୁବନେଶ୍ୱରୀ, ହିଙ୍ଗୁଳା, ଜଗନ୍ନାଥ, କଣିହାଁ, ଲିଙ୍ଗରାଜ, ନନ୍ଦିରା ଓପନ କାଷ୍ଟ ମାଇନ୍ସ ଏବଂ ଡଅଁରା, ବଲଣ୍ଡା ୱାସେରୀ ପ୍ରୋଜେକ୍ଟ ମ୍ୟାନେଜର ଓ ନିର୍ଦ୍ଦେଶକ ମାନଙ୍କୁ ଚିଠି ଲେଖିଛନ୍ତି।
ସରକାରଙ୍କ ନିୟମ ମାନିବା ସହ କୋଇଲା ପରିବହନ ସମୟରେ ଯଦି ଖଣି କର୍ତ୍ତୃପକ୍ଷ ମାନେ ପାଲ ନଢାଙ୍କନ୍ତି। ତେବେ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲେଖି ଜଣାଇଥିବା ସୂଚନା ମିଳିଛି।
