ଅନୁଗୁଳ: ମନରେଗା ଯୋଜନାର ସଫଳ ରୂପାୟନ ଓ ଏହାର ପୁନଃ ପ୍ରଚଳନ ଦାବି କରି ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ଏକ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ଆସି କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ କଂଗ୍ରେସ ପ୍ରତିନିଧି ଦଳଙ୍କଠାରୁ ଏହି ଦାବିପତ୍ର ଗ୍ରହଣ କରିଥିଲେ।
କଂଗ୍ରେସ ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ ୨୦୦୫ ମସିହାରେ ୟୁପିଏ ସରକାର ଗ୍ରାମୀଣ ଭାରତର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ୧୦୦ ଦିନର କାମ ଦେବାର ଗ୍ୟାରେଣ୍ଟି ସହ ମନରେଗା ଆଇନ ପ୍ରଣୟନ କରିଥିଲେ। ଏହି ଆଇନରେ କାମ ନମିଳିଲେ ବେରୋଜଗାର ଭତ୍ତାର ବ୍ୟବସ୍ଥା ମଧ୍ୟ ରହିଥିଲା। ମାତ୍ର ବର୍ତ୍ତମାନର କେନ୍ଦ୍ର ସରକାର ଏହି ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ପାଇଁ ଷଡ଼ଯନ୍ତ୍ର କରି ଏକ ଦିଶାହୀନ ‘ଜିଭିଜି ରାମଜୀ’ ଯୋଜନା ଲାଗୁ କରିଛନ୍ତି। ଏହି ନୂତନ ବ୍ୟବସ୍ଥା ୧୨୫ ଦିନର କାମ ଦେବାକୁ ପ୍ରତିଶ୍ରୁତି ଦେଉଥିଲେ ହେଁ ପ୍ରକୃତରେ ଶ୍ରମିକମାନଙ୍କୁ ୧୦୦ ଦିନର କାମ ଯୋଗାଇବାରେ ମଧ୍ୟ ବିଫଳ ହୋଇଛି, ଯାହାକି ସାଧାରଣ ନାଗରିକଙ୍କ କର୍ମ ଅଧିକାରକୁ କ୍ଷୁଣ୍ଣ କରୁଛି।
କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଉମେଶ ଚନ୍ଦ୍ର ସାହୁ, ରୂପାଦୀପ୍ତା ମହାପାତ୍ର, ଦାଶରଥି ସାହୁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁଙ୍କ ସମେତ ଅଳକାରାଣୀ ମହାପାତ୍ର, ମାନିନୀ ପ୍ରଧାନ ଓ ବହୁ ସଂଖ୍ୟାରେ କର୍ମୀ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ତୁରନ୍ତ ଏହି ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦଳ ଚେତାବନୀ ଦେଇଛି।


