ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

You are currently viewing ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଅନୁଗୁଳ: କରଜ ଭାରରେ ବୁଡ଼ି ମାନସିକ ଭାରସାମ୍ୟ ହରାଇ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଅନୁଗୁଳ ସହର ଉପକଣ୍ଠ ଗୀତା ଗ୍ରାମ ୧୬ ନମ୍ବର ୱାର୍ଡର ପଦ୍ମାବତୀ ଦାସ (୪୫) । ତାଙ୍କ ସ୍ୱାମୀ ଦେବେନ୍ଦ୍ର ନାଥ ଦାସ(୬୨) ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ମଙ୍ଗଳବାର ମଧ୍ୟାହ୍ନରେ ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର-ନଣ୍ଡେଇଲ ରାସ୍ତା ପାର୍ଶ୍ବରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । କରଜ ଭାରରେ ବୁଡ଼ି ରହିବା କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ରାସ୍ତା ବାଛି ନେଇଥିଲେ ଦମ୍ପତି। ଆଠଗଡ଼ ଥାନା ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଗୀତା ଗ୍ରାମର ଏହି ଦମ୍ପତି କରଜ ଭାରରେ ବୁଡ଼ି ରହିଥିଲେ। ଏପରି ସ୍ଥିତିରେ କିଛିଦିନ ପୂର୍ବରୁ ମଧ୍ୟ ତାଙ୍କ ଘରୁ ଚୋରି ହୋଇଥିଲା। ସେମାନେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ତେଣୁ ଦୁହେଁଏକ ବାଇକ୍(ଓଡି୧୯ଏମ୍୯୬୦୧) ରେ ବାହାରିଥିଲେ। ସେମାନେ ଅନୁଗୁଳରୁ ଆସି କନ୍ଦରପୁର ନଣ୍ଡେଇଲ ରାସ୍ତା ପାର୍ଶ୍ଵରେ ବାଇକ୍ ରଖି ଅଟକିଥିଲେ। ଏହାପରେ ଦୁହେଁ ପ୍ରଚୁର ପରିମାଣର ନିଶା ବଟିକା ଖାଇଦେଇଥିଲେ । ଏହାପରେ ଦୁହେଁ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଖବରପାଇ ଆଠଗଡ଼ ପୁଲିସ ଡାକ୍ତରଖାନାରେ ପହଞ୍ଚିଥିଲେ । ଡାକ୍ତର ଉଭୟଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ପଦ୍ମାବତୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଦେବେନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଦେବେନ୍ଦ୍ରଙ୍କ ପୁଅ ସିଦ୍ଧାର୍ଥ ତନ୍ମୟ ଦାସ ଅନୁଗୁଳ ସଦର ଥାନାରେ ତାଙ୍କ ବାପାମାଆ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଛନ୍ତି। ଦମ୍ପତିଙ୍କ ପାଖରୁ ପ୍ରଚୁର ପରିମାଣର ନିଶା ବଟିକା ମିଳିଥିବା ପୁଲିସ କହିଛି।

Share

Leave a Reply