ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କୋଭିଡ ଟୀକାକରଣକୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଲା ୧୨ଟି କୋଭିଡ ଟିକା ଏକ୍ସପ୍ରେସଭ୍ୟାନ୍। ଏହି ସୁସଜ୍ଜିତ ଭ୍ୟାନ୍କୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ଟୀକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ନିୟୋଜିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଭ୍ୟାନ୍ ଗାଁକୁ ଗାଁ ବୁଲି ଡାକବାଜି ଯନ୍ତ୍ର ଯୋଗେ ଟୀକା ନ ନେଇଥିବା ଲୋକମାନଙ୍କୁ ଟୀକା ନେବାକୁ ପ୍ରବର୍ତ୍ତାଇବ। ଏହି ଭ୍ୟାନରେ ଜଣେ ଟୀକା ଦେବା କର୍ମଚାରୀ, ଜଣେ ଏଏନ୍ଏମ୍ ଓ ଆଧାର କାର୍ଡ ସହ ଡାଟା ଏଣ୍ଟ୍ରି ଭେରିଫିକେସନ୍ କରିବା ଲାଗି ଜଣେ କର୍ମଚାରୀ ନିୟୋଜିତ ରହିବେ। ଭ୍ୟାନ୍ ୧୮ ବର୍ଷରୁ ଉର୍ଦ୍ଧ୍ଵ ଓ ପ୍ରିକସନ ଡୋଜ୍ ଭାବେ କୋଉଁସିଲ୍ ଟୀକା ଦେବେ। ବାହାରିଥିବା ୧୨ଟି ଭ୍ୟାନ୍ ମଧ୍ୟରୁ ପାଲଲହଡା ପାଇଁ ୩ଟି, ଅନୁଗୁଳ ପାଇଁ ୩ଟି, ବଅଁରପାଳ ପାଇଁ ୨ଟି ଛେଣ୍ଡିପଦା ପାଇଁ ୨ଟି, ଆଠମଲ୍ଲିକ ଓ କଣିହାଁ ପାଇଁ ଗୋଟିଏ ଲେଖାଏଁ ଭ୍ୟାନ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପ୍ରଥମ ଡୋଜ୍ ଓ ଦ୍ବିତୀୟ ଡୋଜ୍ ଟୀକା ପ୍ରଦାନ କରିବ। ଏହି କୋଭିଡ ଟୀକା ଏକ୍ସପ୍ରେସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, କେୟାର ଈଣ୍ଡିଆର ପ୍ରତିନିଧି ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ବାହାରିଲା କୋଭିଡ ଟୀକା ଏକ୍ସପ୍ରେସ୍
- Post published:January 21, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul