ବନାଗ୍ନି ପ୍ରତିରୋଧ ପାଇଁ ସାଇକେଲ ଯାତ୍ରା, ୫୦୦ କିଲୋମିଟର ଯାତ୍ରା କରି ଲୋକଙ୍କୁ କରାଯିବ ସଚେତନ

You are currently viewing ବନାଗ୍ନି ପ୍ରତିରୋଧ ପାଇଁ ସାଇକେଲ ଯାତ୍ରା, ୫୦୦ କିଲୋମିଟର ଯାତ୍ରା କରି ଲୋକଙ୍କୁ କରାଯିବ ସଚେତନ

ଅନୁଗୁଳ : ପ୍ରାକୃତିକ ବନାଗ୍ନି ଅପେକ୍ଷା ମନୁଷ୍ୟକୃତ ବନାଗ୍ନି ଅଧିକ ଚିନ୍ତାଜନକ। ଏଣୁ ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ ଜନ ସହଯୋଗ ଲୋଡିବା ଉଦ୍ଦେଶ୍ୟରେ ଅନୁଗୁଳର ସାମାଜିକ ଅନୁଷ୍ଠାନ “ସାଥୀ ପରିବାର” ତରଫରୁ ୫୦୦ କିଲୋମିଟରର “ସାଇକେଲ ସଚେତନତା ଯାତ୍ରା” ଆରମ୍ଭ ହୋଇଛି। ଫେବ୍ରୁଆରୀ ୬ ତାରିଖରେ ଶୈଳଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିବା ଏହି ସଚେତନତା ଯାତ୍ରା ୫ ରୁ ୬ ଦିନ ଚାଲିବ। ଏହି ସମୟ ମଧ୍ୟରେ ସାଇକେଲ ଆରୋହୀ ୫୦୦ କିଲୋମିଟର ଯାତ୍ରା କରି ଲୋକଙ୍କୁ ସଚେତନ କରିବେ।

ଏହି ଯାତ୍ରା ସମୟରେ ଅନୁଗୁଳ, ସାତକୋଶିଆ ଓ ଆଠମଲ୍ଲିକ ବନଖଣ୍ଡର ଟିକରପଡା, ବିନିକେଇ, ଆଠମଲ୍ଲିକ, ଠାକୁରଗଡ଼, ଅଙ୍ଗପଡା, ରଣିଆକଟା, ମାନଜୋର, ବାମୁର, ନାକଚି, ବଇଣ୍ଡା, ଜରପଡା, ବଡକେରା, ବନ୍ତଳା, ମହୀଧରପୁର ଆଦି ଅଞ୍ଚଳର ପ୍ରାୟ ୨୫୦ ରୁ ଅଧିକ ଗ୍ରାମବାସୀ ଏବଂ ୧୫ ରୁ ଊର୍ଦ୍ଧ୍ୱ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ସହ ଡାକ ବାଜି ଯନ୍ତ୍ର ଓ ସଚେତନତା ଫର୍ଦ୍ଦ ମାଧ୍ୟମରେ ଜଙ୍ଗଲ ନିଆଁର ଭୟାବହତା, ଜଙ୍ଗଲ ନିଆଁର କାରଣ ଓ ତାର ପ୍ରତିକାର ସମ୍ପର୍କରେ ସଚେତନ କରାଯାଉଛି। ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଏ ଅବସରରେ ପରିବେଶଧର୍ମୀ ଓପନ କୁଇଜ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସାଇକେଲ ସଚେତନତା ଯାତ୍ରାରେ ଅନୁଷ୍ଠାନର ଶୁଭେନ୍ଦୁ ସାହୁ, ଦିଲ୍ଲୀପ କୁମାର ସାହୁ, ପିଣ୍ଟୁ ବେହେରା, ରାଜେଶ ରଞ୍ଜନ ସାହୁ, ସିଦ୍ଧାର୍ଥ ପ୍ରଧାନ ଏବଂ ସୁବ୍ରତ କୁମାର ପ୍ରଧାନ ପ୍ରମୁଖ ସାମିଲ ହୋଇଛନ୍ତି।

Share

Leave a Reply