ଗୁରଙ୍ଗ ଗ୍ରାମରେ ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

You are currently viewing ଗୁରଙ୍ଗ ଗ୍ରାମରେ ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଗୁରଙ୍ଗ ଗ୍ରାମରେ ଚଳିତ ବର୍ଷର ପ୍ରସିଦ୍ଧ ଦଣ୍ଡ ଯାତ୍ରା ବା ଝାମୁଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମରେ ଏକ ଭବ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଞ୍ଚଳର ଆରାଧ୍ୟା ଦେବୀ ମା’ ପାଞ୍ଚଖଣ୍ଡାଙ୍କ ଝାମୁଯାତ୍ରାକୁ ଅତି ଶ୍ରଦ୍ଧା ଓ ଧୂମଧାମରେ ପାଳନ କରିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଗୁରଙ୍ଗ ଦଣ୍ଡ ନୃତ୍ୟ କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଯାତ୍ରାରେ କିଛି ନୂଆ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି। ଏହି କ୍ରମରେ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ସାଜିବ ଗୀତିନାଟ୍ୟ ‘ଦେବ ଦାନବ ମହାସଂଗ୍ରାମ’। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ନାଟକକୁ ଅତ୍ୟାଧୁନିକ କଳା କୌଶଳ ଓ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ କମିଟି ଲକ୍ଷ୍ୟ ରଖିଛି।

ଏହି ପ୍ରସ୍ତୁତି ସମ୍ପର୍କରେ ଗ୍ରାମର ସଭାପତି ବ୍ୟକ୍ତି ବିଷ୍ଣୁ ନାଏକ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ମା’ ପାଞ୍ଚଖଣ୍ଡାଙ୍କ ଅପାର କୃପାରୁ ପ୍ରତିବର୍ଷ ଏହି ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥାଏ। ଚଳିତ ବର୍ଷ ମଧ୍ୟ ମା’ଙ୍କ ଆଶୀର୍ବାଦରୁ ଝାମୁଯାତ୍ରା ଅଧିକ ଧୂମଧାମରେ ଅନୁଷ୍ଠିତ ହେବ।”

ସେହିପରି ପରିଚାଳନା କମିଟିର ମୁଖ୍ୟ ପ୍ରଦୀପ ନାଏକ କହିଛନ୍ତି, “ଗୁରଙ୍ଗ ଗ୍ରାମର ଝାମୁଯାତ୍ରା ଅଞ୍ଚଳରେ ବେଶ୍ ଜଣାଶୁଣା। ଚଳିତ ବର୍ଷ ଆମେ ପ୍ରସ୍ତୁତ କରିଥିବା ଗୀତିନାଟ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆମର ଆଶା ଓ ବିଶ୍ୱାସ ରହିଛି। ଶାନ୍ତିଶୃଙ୍ଖଳାର ସହ ଯାତ୍ରା ସମାପନ ପାଇଁ ସମସ୍ତ ପ୍ରପ୍ରକାର ବ୍ୟବସ୍ଥା କରାଯାଉଛି”। ବୈଠକରେ ସନ୍ତୋଷ ନାଏକ, ସରୋଜ କୁମାର ନାଏକ, ଶିବୁ ନାଏକ, ଅଜୁ ନାଏକ, ଅଜୟ ନାଏକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply