ଲଙ୍ଗୁଳିଆବେଡ଼ା ଗ୍ରାମରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହେଲା ଦଶଦୋଳ ଉତ୍ସବ

You are currently viewing ଲଙ୍ଗୁଳିଆବେଡ଼ା ଗ୍ରାମରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହେଲା ଦଶଦୋଳ ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗ୍ରାମ ଯତନନଗର ସାହି ଯାତ୍ରା ପଡ଼ିଆରେ ଦଶଦୋଳ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ପାଇଁ ସମଗ୍ର ଗ୍ରାମ ମୁଖରିତ ହୋଇ ଉଠିଥିଲା। ପୂର୍ବାହ୍ନରେ ଗ୍ରାମ ସଭାପତି ବ୍ରଜେନ୍ଦ୍ର ନାରାୟଣ ବିଶ୍ୱାଳଙ୍କ ବାସଭବନରୁ ତ୍ରିନାଥ ଠାକୁରଙ୍କ ଫଟୋଚିତ୍ରକୁ ନାମ ସଂକୀର୍ତ୍ତନ ସହ ଅଣାଯାଇ ଯାତ୍ରା ପଡ଼ିଆସ୍ଥିତ ଦୋଳମଣ୍ଡପରେ ସ୍ଥାପନ କରାଯାଇଥିଲା। ଅପରାହ୍ନ ୫ଟାରେ ଭକ୍ତ ଅକ୍ଷୟ କୁମାର ବିଶୋଇଙ୍କ ବାସଭବନରୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ପୂଜାପାଠ ପୂର୍ବକ ଏକ ସୁସଜ୍ଜିତ ବିମାନରେ ବିରାଟ ଶୋଭାଯାତ୍ରାରେ ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ, ଭାଲୁ ଖେଳ ଏବଂ ବିଭିନ୍ନ ସ୍ଥାନରୁ ଆସିଥିବା ଗୋପାଳ ଭାଇମାନଙ୍କ ପାରମ୍ପରିକ ଲଉଡ଼ିଖେଳ ସ୍ଥାନ ପାଇଥିବା ବେଳେ ସାଉଣ୍ଡ, ଡିଜେ ଓ ତୋପବାଣରେ ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା। ଡିଜେର ତାଳେ ତାଳେ ଯୁବପିଢ଼ି ଉତ୍ସାହ ମନେଇଥିବା ବେଳେ ମା’ ମାଉସୀମାନେ ଠାକୁରଙ୍କୁ ବନ୍ଦାପନା କରିଥିଲେ।

ପଥ ମଧ୍ୟରେ ଥିବା ବାବା ଚନ୍ଦ୍ରଶେଖର ଶିବ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପୂଜକ ଗୋଲେଖ ମହାପାତ୍ରଙ୍କ ଦ୍ୱାରା ହରିହର ଭେଟ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଶୋଭାଯାତ୍ରା ଯାତ୍ରା ପଡ଼ିଆରେ ପହଞ୍ଚିବା ପରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦୋଳମଣ୍ଡପରେ ସ୍ଥାପନ କରାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପୂଜକ ସୌମ୍ୟରଞ୍ଜନ କର ପୂଜାର୍ଚ୍ଚନା କରିଥିବା ବେଳେ ନିରୋଦ ମହାପାତ୍ର ନୂତନ ପଞ୍ଜିକା ପାଠ କରିଥିଲେ। ମଣ୍ଡପ ପ୍ରାଙ୍ଗଣରେ ଗୋପାଳ ସମାଜ ପକ୍ଷରୁ ଚିତ୍ତାକର୍ଷକ ଲଉଡ଼ିଖେଳ ପ୍ରଦର୍ଶନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଯାତ୍ରା କମିଟି ସଭାପତି ବିରାଜ ସାହୁ, ସମ୍ପାଦକ ସୁଶୀଲ ଦାଶ, ସନ୍ତୋଷ ଦାଶ, ବିନୋଦ ବିଶୋଇଙ୍କ ସହ ଲିଟୁ, ସାଗର, ଜିତେନ୍, ମିକୁ, ବୀରେନ ଓ ଅରୁଣ ପ୍ରମୁଖ ଯୁବଗୋଷ୍ଠୀ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ଅପେରା ଅନୁଷ୍ଠିତ ହୋଇଥିଲା।

Share

Leave a Reply