ଅନୁଗୁଳ: ଶନିବାର ପୂର୍ବାହ୍ନରେ ଅନୁଗୁଳ ଗସ୍ତରେ ଥିବା ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀଙ୍କୁ ଅନୁଗୁଳ ସଚେତନ ନାଗରିକ ମାନଙ୍କ ପକ୍ଷରୁ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀ ନିଯୁକ୍ତି ନେଇ ଦାବି ଉପସ୍ଥାପନା କରାଯାଇଛି। ନାଗରିକଙ୍କ ପକ୍ଷରୁ ପରିବହନ ସଚିବଙ୍କୁ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ଅନୁଗୁଳରେ ନ ଥିବା କାରଣରୁ ପରିବହନ, ଯାତାୟାତ ଓ ବିଭିନ୍ନ ଆବଶ୍ୟକୀୟ କାଗଜପତ୍ର କାର୍ଯ୍ୟ ଭଳି ଅନେକ ସମସ୍ୟା ଦେଖାଦେଇଛି। ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ମଧ୍ୟ ଦେଇ ଦୈନିକ ଲକ୍ଷ ଲକ୍ଷ ଭାରିଯାନ ସାଙ୍ଗକୁ ଛୋଟ ବଡ଼ ଯାନ ମଧ୍ୟ ଯାତାୟାତ କରିଥାନ୍ତି। ଏଥିସହ କେନ୍ଦ୍ର ଓ ରାଜ୍ଯ ରାଜକୋଷକୁ ହଜାର ହଜାର କୋଟି ରାଜସ୍ବ ଯାଉଛି। ତେବେ ଗାଡ଼ି ଚଳାଚଳ ଜନିତ ଅନେକ ସମସ୍ୟା ରହିଥିଲେ ହେଁ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀ ଭାବେ କେହି ନିଯୁକ୍ତି ହୋଇନଥିବା କାରଣରୁ ସମସ୍ଯା ଗୁଡ଼ିକର ସ୍ଥାୟୀ ସମାଧାନ ହୋଇପାରୁନାହିଁ।
ବିଭିନ୍ନ ଦୂରଦୂରାନ୍ତରୁ ଲୋକେ ଆସି ଅନୁଗୁଳ କାର୍ଯ୍ୟାଳୟରେ ନିଜ ଆବଶ୍ୟକୀୟ କାର୍ଯ୍ୟ କରିବାରେ ହଇରାଣ ହରକତ ହେଉଛନ୍ତି। ଏଣୁ ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଜଣେ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିଯୁକ୍ତି କରାଯାଉ ବୋଲି ଅନୁଗୁଳ ସଚେତନ ନାଗରିକ ଆବାହକ ପର୍ଶୁରାମ ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଣିଜ୍ୟ ଓ ପରିବହନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ମୁଁ ଏ ନେଇ ଅବଗତ ଅଛି ଆଉ ତୁରନ୍ତ ଏହାର ସମାଧାନ କରାଯିବ ବୋଲିି ବାଣିଜ୍ୟ ଓ ପରିବହନ ସଚିବ ପ୍ରକାଶ କରିଛନ୍ତିି। ଦାବି ପତ୍ର ପ୍ରଦାନ ବେଳେ ସୌମ୍ୟରଞ୍ଜନ ଦାଶ, ପ୍ରତାପ ମହାପାତ୍ର, ବ୍ରହ୍ମଜ୍ୟୋତି ମିଶ୍ର, ଆଦ୍ୟଶ୍ଲୋକ ମିଶ୍ର ଓ ଛୁଲୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।