ଅନୁଗୁଳ : ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ଖଣିଜ ପାଣ୍ଠିରୁ ମାଗଣା ବସ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାର ଆଠଗୋଟି ଆଦର୍ଶ ବିଦ୍ୟାଳୟର ବହୁ ଅଭିଭାବକ ଏକତ୍ରିତ ହୋଇ ସୋମବାର ଜିଲ୍ଲାପାଳଙ୍କୁ ସମୂହ ଦାବିପତ୍ର ଦେଇଛନ୍ତି।
ଅନୁଗୁଳ ଜିଲ୍ଲାର ଆଠଗୋଟି ବ୍ଲକରେ ଗଢି ଉଠିଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରାୟ ପାଞ୍ଚ ହଜାର ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ଏଠାରେ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲା ଆଦର୍ଶ ବିଦ୍ୟାଳୟକୁ ବସ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି। କୋଡିଏ ପଚିଶି କିଲୋମିଟର ଦୂରରୁ ଆସୁଥିବା ଛାତ୍ରଛାତ୍ରୀ ସ୍କୁଲ ଆସିବା ବେଳେ ସୁରକ୍ଷିତ ମଣୁ ନଥିବା ବେଳେ ଦୈନିକ ନିଜ ପିଲାମାନଙ୍କୁ ବିଦ୍ୟାଳୟ ନେବା ଆଣିବା ଅଭିଭାବକଙ୍କ ପାଇଁ ସହଜ ହେଉନାହିଁ। ବସ ସେବା ନଥିବାରୁ କିଛି ଛାତ୍ରଛାତ୍ରୀ ଅନ୍ୟତ୍ର ବେସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ବେଳେ ଗରିବ ମେଧାବୀ ଛାତ୍ରଛାତ୍ରୀ ବାଧ୍ୟ ହୋଇ ନିଜନିଜର ପୂର୍ବ ଶିକ୍ଷା ବ୍ୟବସ୍ଥାକୁ ଫେରିଯାଉଛନ୍ତି।
ଏଣୁ ସୋମବାର ଅନୁଗୁଳ ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟରୁ ବହୁ ଅଭିଭାବକ ଏକତ୍ରିତ ହୋଇ ତୁରନ୍ତ ବିଦ୍ୟାଳୟରେ ମାଗଣା ବସ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ସାମୂହିକ ଦାବିପତ୍ର ଦେଇଛନ୍ତି।