ଅନୁଗୁଳ: ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ତିନି ଦଫା ସମ୍ମଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ତାଳଚେର ଉପଖଣ୍ଡର ଯୁବକ ଯୁବତୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଖଣି ଖାଦାନ କଳକାରଖାନା ଭିତରେ କାର୍ଯ୍ୟରତ କମ୍ପାନୀ, ସାଇଲୋ, ସିକ୍ୟୁରିଟି ସଂସ୍ଥା, ଠିକା ସଂସ୍ଥା ଗୁଡ଼ିକର ସର୍ଭିସ ରେଜିଷ୍ଟର ନମ୍ବର ରହିବା ଓ ଅଞ୍ଚଳବାସୀଙ୍କ ଗମନାଗମନ ଜନିତ ସମସ୍ୟା ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି।
ତାଳଚେରବାସୀଙ୍କ ଗମନାଗମନ, ବେରୋଜଗାରକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହାର ସୁଫଳ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ପାଇପାରି ନାହାଁନ୍ତି। ଫଳରେ ତାଳଚେରରେ ବେକାରୀ ସମସ୍ୟା ଉତ୍କଟ ରୂପ ନେଉଛି। ଏଥିସହିତ ରାଜରାସ୍ତା ଉପରେ ଦୁର୍ଘଟଣା ମାତ୍ରା ବଢ଼ିବାରେ ଲାଗିଛି। ଏହାର ସମାଧାନ ପାଇଁ ଦାବି ହୋଇଛି।
ପ୍ରକାଶ ଥାଉକି, ଉପରୋକ୍ତ ସମସ୍ୟାଗୁଡ଼ିକୁ ନେଇ ଗତ ଅକ୍ଟୋବର ୧୯ ତାରିଖରେ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତିନି ଦଫା ସମ୍ମଳିତ ଏକ ଦାବି ପତ୍ର ସହକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।


