ପୁରୀ: ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କୁ ଅରୁଣ ସ୍ତମ୍ଭ ଛୁଇଁବା ମନା। ଆଉ କାଳିଆକୁ ଦେଖିବା ପୂର୍ବରୁ ଅରୁଣ ସ୍ତମ୍ଭ ଛୁଇଁପାରିବେନି ଭକ୍ତ। ଏକଥା ଆମେ କହୁନୁ। ଶ୍ରୀମନ୍ଦିର ପ୍ରଶାସନର ନୂଆ କାମ ପରେ ଅରୁଣ ସ୍ତମ୍ଭ ଛୁଇଁବାରୁ ବଞ୍ଚିତ ହେଉଥିବା ଭକ୍ତ ଏକଥା କହୁଛନ୍ତି।
ସୂଚନା ମୁତାବକ, ଆସ୍ଥା ଓ ବିଶ୍ଵାସର ପ୍ରତୀକ ହେଉଛି ଅରୁଣ ସ୍ତମ୍ଭ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ରହିଥିବା ଅରୁଣ ସ୍ତମ୍ଭକୁ ଦର୍ଶନ ଓ ସ୍ପର୍ଶ ସହ ପ୍ରଣିପାତ କରି ଭକ୍ତ ସିଂହଦ୍ଵାର ଦେଇ ପ୍ରବେଶ କରନ୍ତି। ବ୍ରିଟିଶ ସମୟରୁ ଅରୁଣ ସ୍ତମ୍ଭକୁ ଲୁହା ବାଡ ଘେରି ରହିଥିଲା। ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ପରିବର୍ତ୍ତନ କରାଯାଇ ପିତ୍ତଳ ବ୍ୟାରିକେଡ଼ ଲଗାଯାଇଛି।
ଅରୁଣ ସ୍ତମ୍ଭର ସୁରକ୍ଷା ଓ ଦୀର୍ଘ ସ୍ଥାୟୀ ବ୍ୟବସ୍ଥା ପାଇଁ ଏହି ପିତ୍ତଳ ବ୍ୟାରିକେଡ଼ ଲଗାଯାଉଛି। ଏହି କାରଣରୁ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଗତକାଲି ଠାରୁ ଆଉ ଅରୁଣ ସ୍ତମ୍ଭକୁ ସ୍ପର୍ଶ କରିପାରୁନାହାନ୍ତି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ସେବାୟତଙ୍କ ସହ ଆଲୋଚନା ନ କରାଯାଇ ପ୍ରାୟ ୪ ଫୁଟ୍ ଉଚ୍ଚର ପିତ୍ତଳ ବ୍ୟାରିକେଡ଼ ଲଗାଯିବା ଦ୍ବାରା ଅଧିକାଂଶ ଭକ୍ତ ଆଉ ଅରୁଣ ସ୍ତମ୍ଭ ସ୍ପର୍ଶ କରିପାରୁନାହାନ୍ତି। ତେବେ ଏହି ନୂତନ ପିତ୍ତଳ ବ୍ୟାରିକେଡ଼ ଇସ୍କନ ସଂସ୍ଥାର ପ୍ରତୀକ ଭଳି ଦୃଶ୍ୟମାନ ହେଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଏ ନେଇ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ତେବେ ହଠାତ୍ ଅରୁଣ ସ୍ତମ୍ଭ ଚାରିପଟେ ହଠାତ୍ ଏଭଳି ପିତ୍ତଳ ବ୍ୟାରିକେଡ଼ ଲାଗିବା ନିଷ୍ପତ୍ତି ପଛର କାରଣ କଣ ତାହା ଜଣାପଡ଼ିନାହିଁ।