ନିର୍ବାଚନ ପାଇଁ ଉତ୍ତରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ, ଜବତ ହୋଇଛି ନଗଦ ୨ କୋଟି ୬୭ ଲକ୍ଷ କଳା ଟଙ୍କା ଏବଂ ୯ କୋଟିର ମାଦକ ଦ୍ରବ୍ୟ

You are currently viewing ନିର୍ବାଚନ ପାଇଁ ଉତ୍ତରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ, ଜବତ ହୋଇଛି ନଗଦ ୨ କୋଟି ୬୭ ଲକ୍ଷ କଳା ଟଙ୍କା ଏବଂ ୯ କୋଟିର ମାଦକ ଦ୍ରବ୍ୟ

ଅନୁଗୁଳ: ଆସନ୍ତା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଉତ୍ତରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏନେଇ ମଙ୍ଗଳବାର ଦିନ ଅନୁଗୁଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଆସନ୍ତା ୨୦ ଓ ୨୫ତାରିଖରେ ଏ ଅଞ୍ଚଳରେ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଓ ଢେଙ୍କାନାଳ ସମୁଦାୟ ଚାରୋଟି ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ। ଏଥିରେ ସମୁଦାୟ ୭୫୨୦ଟି ବୁଥ ଅଛି। ଏହି ବୁଥ ଗୁଡିକରେ ଆବଶ୍ୟକ ହେଉଥିବା ପୋଲିସ ଫୋର୍ସ ସମ୍ପର୍କରେ ଜିଲ୍ଲାର ସମସ୍ତ ଏସପିଙ୍କ ସହିତ ଆଲୋଚନା ସରିଛି। ନିର୍ବାଚନ ପାଇଁ ଜାନୁଆରୀ ପ୍ରଥମ ସପ୍ତାହରୁ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ।

ଇତି ମଧ୍ୟରେ ୬ ହଜାର ୱାରେଣ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ନିର୍ବାଚନ ସମୟରେ ଗଣ୍ଡଗୋଳକୁ ଆଶଙ୍କା କରି ୮୨୦୦ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୭୫ଟି ବେଆଇନ ମାରଣାସ୍ତ୍ର ଜବତ ମଧ୍ୟ କରାଯାଇ ୩୯ଟି କେସ୍ ରୁଜୁ କରି ୫୨ ଜଣଙ୍କୁ ଗିରଫ କରାଯାଇଛି।
ସେହିପରି ସମ୍ବଲପୁର ଏବଂ ବ୍ରଜରାଜନଗରରେ ଥିବା ବେଆଇନ ବନ୍ଧୁକ ଏବଂ ମାରଣାସ୍ତ୍ର କାରଖାନା ଠାବ କରାଯାଇଛି।

ଅନ୍ୟପଟେ ସମୁଦାୟ ୧ ଲକ୍ଷ ୮୨ହଜାର ଲିଟର ବେଆଇନ ମଦ ଜବତ କରାଯାଇ ୩୨୦୮୬ଟି କେସ୍ ରୁଜୁ କରାଯାଇ ୧୩୨୮୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବେଆଇନ ଗଞ୍ଜେଇ ଚାଲାଣ କ୍ଷେତ୍ରରେ ସୋନପୁର ଓ ବଲାଙ୍ଗୀର ଜିଲ୍ଲାରୁ ପ୍ରାୟ ୩୩ କୁଇଣ୍ଟାଲ ଚୋରା ଗଞ୍ଜେଇ ଜବତ କରାଯାଇ ୧୦୪ଟି କେସ୍ କରାଯାଇ ୧୬୪ଜଣଙ୍କୁ ଗିରଫ କରାଯାଇଛି।
ସେହିପରି ୨୮ଟି ବିଧାନସଭା କ୍ଷେତ୍ରରେ ୮୪ଟି ଟିମ ଗଠନ କରାଯାଇଛି। ଏହି ଅଞ୍ଚଳରୁ ନଗଦ ୨ କୋଟି ୬୭ଲକ୍ଷ କଳା ଟଙ୍କା ଏବଂ ୯ କୋଟି ଟଙ୍କାର ମାଦକ ଦ୍ରବ୍ୟ ମଧ୍ୟ ଜବତ କରାଯାଇଛି।

ସେହିପରି ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ରହିଛି। ଉକ୍ତ ଅଞ୍ଚଳରେ ମାଓବାଦୀ ଙ୍କ କାର୍ଯ୍ୟକଳାପ କିପରି ରୋକା ଯାଇ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ବୋଲି ଡିଜିପି ଶ୍ରୀ ପ୍ରକାଶ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୋଇନ୍ଦା ବିଭାଗ ଆଡ଼ିସନାଲ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଡ଼ିସନାଲ ଡିଜି ଅପରେସନ ଦେବଦର ସିଂ, ଆଡ଼ିସନାଲ ଡିଜି ସଞ୍ଜୟ କୁମାର, ଡିଆଇଜି ବିଶାଲ ସିଂ, ଅନୁଗୁଳ ଆଇଜି ସତ୍ୟବ୍ରତ ଭୋଇ , ସମ୍ବଲପୁର ଆଇଜି, ଅନୁଗୁଳ ଏସପି ଦାୟିତ୍ୱରେ ଥିବା ଡିଆଇଜି ଉମାଶଙ୍କର ଦାଶ, ୮ ଟି ଜିଲ୍ଲାର ଏସପିଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Share

Leave a Reply