କୋଶଳାରେ କୋଇଲା ପରିବହନକୁ ନେଇ ତେଜିଲା ଅସନ୍ତୋଷ: ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ, ଗାଡ଼ି ସହ ପୋଲିସକୁ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକେ

You are currently viewing କୋଶଳାରେ କୋଇଲା ପରିବହନକୁ ନେଇ ତେଜିଲା ଅସନ୍ତୋଷ: ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ, ଗାଡ଼ି ସହ ପୋଲିସକୁ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମରେ କୋଇଲା ପରିବହନକୁ କେନ୍ଦ୍ର କରି ସ୍ଥିତି ବିସ୍ଫୋରକ ରୂପ ଧାରଣ କରିଛି। ଗାଁ ମଧ୍ୟ ଦେଇ କୋଇଲା ଗାଡ଼ି ଚଳାଚଳକୁ ବିରୋଧ କରି ଦୀର୍ଘ ୨୧ ଦିନ ଧରି ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଶନିବାର ରଣକ୍ଷେତ୍ରରେ ପରିଣତ ହୋଇଛି। ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଶତାଧିକ ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ ଗାଡ଼ି ସହ

କର୍ମଚାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, କୋଶଳା ଗ୍ରାମ ମଧ୍ୟ ଦେଇ ହେଉଥିବା କୋଇଲା ପରିବହନ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଦୁର୍ଘଟଣା ଆଶଙ୍କା କରି ଗ୍ରାମବାସୀ ଦୀର୍ଘ ଦିନ ହେଲା ଧାରଣାରେ ବସିଥିଲେ। କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସେମାନେ ଦାବି କରିଆସୁଥିଲେ।

ଶନିବାର ଆନ୍ଦୋଳନ ସମ୍ପର୍କିତ ଏକ ପ୍ରଚାର ଗାଡ଼ି ଗାଁରେ ବୁଲୁଥିବା ସମୟରେ ପୋଲିସ ହଠାତ୍ ତାହାକୁ ଜବତ କରିନେଇଥିଲା। ପୋଲିସର ଏଭଳି ପଦକ୍ଷେପ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଫଳରେ ଗାଁର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ପୋଲିସକୁ ଘେରିଯାଇଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ ଗାଡ଼ିକୁ ଅଟକ ରଖିବା ସହ ଘଟଣାସ୍ଥଳରେ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ବାହାରକୁ ଛାଡ଼ି ନାହାନ୍ତି। “ଯେପର୍ଯ୍ୟନ୍ତ ଗାଁ ଦେଇ କୋଇଲା ପରିବହନ ବନ୍ଦ ନହୋଇଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ” ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ଏବଂ ସ୍ଥିତି ଗମ୍ଭୀର ରହିଛି।

Share

Leave a Reply