ଅନୁଗୁଳ: ଜିଲ୍ଲା ପରିଷଦ କାର୍ଯ୍ୟାଳୟ ୨ୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲ୍ଲା ବିକାଶ, ସମନ୍ବୟ ଏବଂ ତଦାରଖ କମିଟି (ଦିଶା)ର ଏକ ବୈଠକ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ୧୦ଗୋଟି ବିଷୟ ଯଥା-ଜଳଯୋଗାଣ ଓ ପରିମଳ, ବିଦ୍ୟୁତ୍, ଜଙ୍ଗଲ, କୃଷି, ସ୍ବାସ୍ଥ୍ୟ, ଉଦ୍ୟାନ କୃଷି, ଗ୍ରାମ୍ୟ ଗୃହ ନିର୍ମାଣ, ଜଳଛାୟା, ମନରେଗା ଓ ଦୂରସଞ୍ଚାର (ବିଏସ୍ଏନ୍ଏଲ) ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଅସମାପ୍ତ ରହିଯାଇଥିବା କାର୍ଯ୍ୟଗୁଡିକୁ ଗୁରୁତ୍ବର ସହକାରେ ନେଇ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସାଂସଦ ପରାମର୍ଶ ଦେଇଥିଲେ। ବୈଠକରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଳଲହଡା ବିଧାୟକ ମୁକେଶ କୁମାର ପାଳ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଆଗକୁ ଖରାଦିନ ଆସୁଥିବାରୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସମସ୍ୟାର ସମାଧାନ କରି ଜଳ ଓ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ବାରୋପ କରିବା ସହ ଜଙ୍ଗଲ ବିଭାଗ ଦ୍ବାରା ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ, ତଦାରଖ ଏବଂ ସ୍ବତନ୍ତ୍ର ହାତୀ କରିଡର କଲେ ଜିଲ୍ଲାବାସୀ ଆଶ୍ବସ୍ତ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜିଲ୍ଲାର ବିଭିନ୍ନ ପ୍ରକଳ୍ପଗୁଡିକର ଅନୁଧ୍ୟାନ ଓ ଅଗ୍ରଗତି ଉପରେ ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କୁ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତ ବେହେରା, ଟାମଡାର ଅଧ୍ୟକ୍ଷ ଅବନୀ କୁମାର ସାହୁ, ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ତାଳଚେର ପୌରପାଳିକା ଅଧ୍ୟକ୍ଷ ପବିତ୍ର ଭୂତିଆ, ବସୁଧା ଯୋଜନାର ପରାମର୍ଶଦାତା ଦିନେଶ ପ୍ରଧାନ, ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା ଓ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।