ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଜିଲ୍ଲା ସ୍ତରୀୟମିଳିତ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୪୬ଟି ଅଭିଯୋଗରୁ ୪୨ଟି ବ୍ୟକ୍ତିଗତ ଓ ୦୪ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ଏହାଛଡା ଦାଖଲ ହୋଇଥିବା ସମୁଦାୟ ୪୬ଟି ଅଭିଯୋଗ ମଧ୍ୟରୁ ୧୦ଟି ଅଭିଯୋଗର ଫଇସଲା କରାଯାଇଛି। ଶିବିରକୁ ଆସିଥିବା ଲୋକମାନେ ବାର୍ଦ୍ଧକ୍ୟ ଭତ୍ତା, ବ୍ୟାଙ୍କ ଋଣ ସମ୍ବନ୍ଧୀୟ, ଶିକ୍ଷା, ସ୍ବାସ୍ଥ୍ୟ ସମ୍ବନ୍ଧୀୟ, ଗ୍ରାମ୍ୟ ରାସ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।