ଅନୁଗୁଳ: ସମ୍ଭାବ୍ୟ ତୃତୀୟ ଲହରରେ ଛୋଟ ପିଲାମାନଙ୍କ ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଡିସିନ ଓ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଆଗୁଆ ସତର୍କ ଓ ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ହାଇଦରାବାଦରୁ ଆସିଥିବା ଡାକ୍ତରମାନଙ୍କୁ ଏଥିରେ ନିୟୋଜିତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତୃତୀୟ ଲହରୀରେ ଛୋଟ ପିଲା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଜିଲ୍ଲାର କିଶୋରନଗର, କୋଶଳା ଓ ଛେଣ୍ଡିପଦା ଅଞ୍ଚଳରେ କୋଭିଡ ପରୀକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ। ସମସ୍ତ ମେଡିକାଲ ଅଫିସରମାନେ ନିୟମିତ ବୈଠକ ଡାକି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବେ। ତାଳଚେର କୋଭିଡ ହସପିଟାଲରେ ଅକ୍ସିଜେନ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯିବ। କିଶୋରନଗର, ଛେଣ୍ଡିପଦା, କୋଶଳା, ବଇଣ୍ଡା ଅଞ୍ଚଳରେ ଟୀକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସ୍ଥିର କରାଗଲା। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଏଡିଏମ୍ଓ ଡା. ଧନଞ୍ଜୟ ବେହେରା, ବିଭିନ୍ନ ଚିକିତ୍ସାଳୟର ଡାକ୍ତରଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।
ସମ୍ଭାବ୍ୟ ତୃତୀୟ ଲହର ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ
- Post published:September 2, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
