ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରାସ୍ତାରେ ଘଟୁଥିବା ସଡକ ଦୁର୍ଘଟଣା ସମ୍ପର୍କରେ ବୈଠକରେ ଆଲୋଚନା କରାଯିବା ସହ ନିରାକରଣ ନିମନ୍ତେ ପଦକ୍ଷେପ ନେଇଥିଲେ।
ଏ ଅବସରରେ ବଡ ବଡ ହମ୍ପସ ଥିବା ସ୍ଥାନ ଓ ଅଣଓସାରିଆ ରାସ୍ତାକୁ ବିଭାଜିତ କରାଯାଇଥିବା ଜାଗାରେ ତୁରନ୍ତ ରଙ୍ଗ ଦେବାକୁ ନିର୍ଦ୍ଦେଶ ହୋଇଛି। ପାଳଲହଡା ଦୁର୍ଘଟଣା ପ୍ରବଣ ସ୍ଥାନରେ ତୁରନ୍ତ ସାଙ୍କେତିକ ଚିହ୍ନ ଲଗାଇବା ପାଇଁ ଏନ୍ ଏଚ୍ ଅଥରିଟିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜରପଡାଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ହେତୁ ସେଠାରେ No overtaking Zone କିମ୍ବା Speed limit board ଲଗାଇବା ପାଇଁ ନିର୍ଦ୍ଦେଶ ହୋଇଛି। ଜରପଡାରେ ଥିବା ପେଟ୍ରୋଲ ପମ୍ପ ସ୍ଥିତ କଲେଜ ସମ୍ମୁଖରେ ବହୁତ ଦୁର୍ଘଟଣା ହେଉଥିବାରୁ ସେଠାରେ ଜାଗାରେ ଫୁଟ ବ୍ରିଜ ନଚେତ ଅଣ୍ଡରପାସ୍ ନିର୍ମାଣ କରିବା ପାଇଁ ବିଧିବଦ୍ଧ ଦସ୍ତାବିଜ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ହଣ୍ଡପା ପାଖରେ ବେଆଇନ ପାର୍କିଂ ଓ ସାପ୍ତାହିକ ବଜାର ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହି ବଜାରକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି।
ଅନୁଗୁଳ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଦ୍ବିମୁଖୀ ଢାଞ୍ଚା ସଂରଚନା ବିହୀନ ପଥ ୩୧ ମାର୍ଚ୍ଚ ୨୦୨୩ ଏବଂ ୩୧ ମେ ୨୦୨୩ ସୁଦ୍ଧା ଢାଞ୍ଚା ସଂରଚନା ଯୁକ୍ତ ପଥ ଶେଷ କରିବାକୁ ସମ୍ବଲପୁର ଏନ ଏଚ୍ ଆଇକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତ ମାସରେ ବିଗତ ମାସ ତୁଳନାରେ ଦୁର୍ଘଟଣାରେ ମୃତ୍ୟୁହାର ବହୁତ କମ୍ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ, ସମ୍ବଲପୁର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର ପ୍ରତିନିଧି, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ।