ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ: ନଭେମ୍ବରରେ ୩୨ଟି ଦୁର୍ଘଟଣାରେ ଯାଇଛି ୧୫ ଜୀବନ, ନୋ ପାର୍କିଂରୁ ୪୧ ଲକ୍ଷ ୫୦୦ ଟଙ୍କା ଫାଇନ ଆଦାୟ
ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ନଭେମ୍ବର ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ବାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା। ପରିବହନ ବିଭାଗ ସୂଚନା ଅନୁଯାୟୀ, ଗତ ନଭେମ୍ବର ମାସରେ ଜିଲ୍ଲାରେ ମୋଟ ୩୨ଟି ଦୁର୍ଘଟଣା ଘଟିଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ଘଟିଛି, ୧୨ ଜଣ ଗୁରୁତର ଆହତ ଓ ସାମାନ୍ୟ ଆହତ ୮ ଜଣ ହୋଇଛନ୍ତି।
ସେହିପରି ଗତ ମାସରେ ପରିବହନ ବିଭାଗ ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୧୧୨୪ ଜଣଙ୍କ ଠାରୁ ୧୧ ଲକ୍ଷ ୨୪ ହଜାର ଟଙ୍କା, ବିନା ସିଟ୍ ବେଲ୍ଟରେ ୩୭ ଜଣଙ୍କ ଠାରୁ ୩୭ ହଜାର ଟଙ୍କା, ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୯୩୭ ଜଣଙ୍କ ଠାରୁ ୧୮ ଲକ୍ଷ ୭୪ ହଜାର ଟଙ୍କା, ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୪୭ ଜଣଙ୍କ ଠାରୁ ୪ ଲକ୍ଷ ୭୦ ହଜାର ଟଙ୍କା, ଅତ୍ୟଧିକ ମାଲପରିବହନ କରିଥିବା ୫୧ ଟି ମାମଲାରେ ୨୪ ଲକ୍ଷ ୮୬ ହଜାର ୨୮୪ ଟଙ୍କା, ମାଲବାହି ଗାଡିଗୁଡିକରେ ଯାତ୍ରୀ ସେବା ଅଭିଯୋଗରେ ୧୮ଟି ମାମଲାରେ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାର୍କିଂ ଜୋନରେ ଗାଡି ପାର୍କିଂ କରିବା ଅଭିଯୋଗରେ ୪୫୯ଟି ମାମଲାରେ ୪୧ଲକ୍ଷ ୫୦୦ ଟଙ୍କା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଅଭିଯୋଗରେ ୩୧ଟି ମାମଲାରେ ୧ ଲକ୍ଷ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୪୦୧ ଜଣଙ୍କର ଲାଇସେନ୍ସ ନିଲମ୍ବନ କରାଯାଇଥିଲା ଓ ୨୩ ଟି ଗାଡି ଜବତ କରାଯାଇଥିଲା।
ସେହିପରି ଜିଲ୍ଲା ପୋଲିସ ଦ୍ବାରା ଯାଞ୍ଚ କରିବା ସମୟରେ ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୩୦ ଜଣଙ୍କ ଠାରୁ ୬୩ ହଜାର ୫୦୦ ଟଙ୍କା, ଅତ୍ୟଧିକ ମାଲପରିବହନ କରିଥିବା ୧୫ ଟି ମାମଲାରେ ୩୭ ହଜାର ୫୦୦ ଟଙ୍କା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଅଭିଯୋଗରେ ୯୮ ଟି ମାମଲାରେ ଲକ୍ଷ ୯୦ ହଜାର ଟଙ୍କା, ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୧୧୪୨ ଜଣଙ୍କ ଠାରୁ ୧୧ ଲକ୍ଷ ୪୨ ହଜାର ଟଙ୍କା, ବିନା ସିଟ୍ ବେଲ୍ଟରେ ୧୨୭୯ ଜଣଙ୍କ ଠାରୁ ୧୨ ଲକ୍ଷ ୭୯ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାର୍କିଂ ଜୋନରେ ଗାଡି ରଖିବା ଅଭିଯୋଗରେ ୧୩୯୯ ଟି ମାମଲାରେ ୨୩ଲକ୍ଷ ୮୪ ହଜାର ୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା ଏବଂ ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୫୪୮ ଟି ମାମଲା ରୁକୁ କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ, ଉପଆରକ୍ଷୀ ଅଧ୍ୟକ୍ଷକ ବିରଞ୍ଚି ବାଗ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଧନଞ୍ଜୟ ବେହେରାଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।