ଅନୁଗୁଳ: ଅନୁଗୁଳରେ ଆନନ୍ଦ ଓ ଉତ୍ସାହର ସହ କାଳୀ ପୂଜା ଓ ଦୀପାବଳୀ ଆରମ୍ଭ ହୋଇଛି। ପାଞ୍ଜିରେ ଦ୍ବନ୍ଦ୍ବାତ୍ମକ ସ୍ଥିତି ଯୋଗୁଁ ଲୋକେ ଦୁଇ ଦିନ ଧରି ଦୀପାବଳି ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ଦୋକାନୀ ଗୁରୁବାର ଖାତା ପୂଜା କରିଥିବା ବେଳେ ଆଉ କିଛି ଶୁକ୍ରବାର ଦିନ ଖାତା ପୂଜା କରିବେ ବୋଲି ଜଣା ପଡିଛି।
ପ୍ରଦୂଷଣ ବୋର୍ଡର କଟକଣା ଏବଂ ଦୀପାବଳି ପୂର୍ବରୁ ପୋଲିସ ବିପୁଳ ପରିମାଣର ବାଣ ଜବତ କରିବା ହେତୁ ବାଣ ବଜାରରେ ଉଚ୍ଚ ଶକ୍ତି ସମ୍ପନ୍ନ ବାଣ ଦେଖିବାକୁ ମିଳି ନଥିଲା। ଲୁଚା ଚୋରାରେ ଯାହା ଫଟକା ବାଣ ବିକ୍ରି ହୋଇଥିଲା। ବାଣ ବିକ୍ରିରେ ହ୍ରାସ ଘଟିଥିବା ବେଳେ ବାଣ ଯୋଗୁଁ ଆହତଙ୍କ ସଂଖ୍ୟା ମଧ୍ୟ ବେଶ୍ କମ୍ ଦେଖିବାକୁ ମିଳିଥିଲା। ରାତି ଆଠ ଟା ସୁଦ୍ଧା ସାତ-ଆଠ ଜଣ ବାଣରେ ସାମାନ୍ୟ ଆହତ ହୋଇ ଡାକ୍ତରଖାନାକୁ ଆସିଥିବା ଜଣା ପଡ଼ିଛି।
ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ସେମାନଙ୍କ ଦୋକାନ ସବୁକୁ ଫୁଲ ଓ ଏଲଇଡି ଆଲୋକରେ ସଜାଇଥିବା ଦେଖିବାକୁ ମିଳିଥିଲା। ମେଡିକ୍ସ୍ ଓ ଅନ୍ୟାନ୍ୟ ଜରା ନିବାସରେ ଅନ୍ତେବାସୀ ମାନଙ୍କୁ ନୂଆ ବସ୍ତ୍ର,ମିଷ୍ଟାନ୍ନ ବଣ୍ଟନ କରାଯାଇଥିବା ବେଳେ ସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନ କରାଯାଇଥିଲା।ଦୀପାବଳି ପାଇଁ ମିଠା ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଅନୁଗୁଳରେ ପ୍ରାୟ ୬୦ ଲକ୍ଷ ଟଙ୍କାର ମିଠା କାରବାର ହୋଇଥିବା ଆକଳନ କରାଯାଇଛି।