ଅନୁଗୁଳ: ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’। ରାଜ୍ୟରେ ଯୋଜନା ନେଇ ସରକାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ଯୋଜନାରେ କିଛି ସରକାରୀ ବିଦ୍ୟାଳୟ ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏନେଇ ଅନୁଗୁଳ ଜିଲ୍ଲାପାଳ ଏମ୍ ଅବଦଲ ଅଖତର ଶନିବାର ଛେଳିଆପଡ଼ା ନାଥସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାର ଚାରୋଟି ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଇବା ପାଇଁ ପ୍ରଶାସନ ଯୋଜନା ରଖିଛି। ଏହି ୪ ସ୍କୁଲ ହେଉଛି, ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡ଼ା ନାଥସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଖମାର ବିଦ୍ୟାଳୟ, ଚଷାଗୁରୁଜାଙ୍ଗ, ଅଙ୍ଗପଡ଼ା ବିଦ୍ୟାଳୟ ଆଦି ୪ଟି ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ଯୋଜନା ରଖିଛି। ଏହି ଯୋଜନାରେ ବିଦ୍ୟାଳୟ ଗୁଡ଼ିକର ପାଚେରୀ, ଶୌଚାଳୟ, ସ୍ମାର୍ଟ କ୍ଲାସରୁମ ଏବଂ ପାଣ୍ଠିକୁ ଦେଖି ଅନ୍ୟ ସାମଗ୍ରିକ ବିକାଶ ଦିଗରେ ଧ୍ୟାନ ଦିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି।
ଚୂଡ଼ାନ୍ତ ଡିପିଆର ପାଇଁ ଶନିବାର ଅନୁଗୁଳ ଜିଲ୍ଲାପାଳଙ୍କ ସମେତ ଶିକ୍ଷା ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଛେଳିଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଲିଥିବା ସୂଚନା ମିଳିଛି।
ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେବ ନାଥସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡିପିଆର ଚୂଡ଼ାନ୍ତ ପାଇଁ ପରିଦର୍ଶନ କଲେ ଅଧିକାରୀ
