ଅନୁଗୁଳ: ଜମି ବାଡ଼ି ବିବାଦ ପାଇଁ ମାରପିଟ। ନାତି ମାଡ଼ରେ ଆଈ ଗୁରୁତର। ଖୁଡ଼ି ବି ବର୍ତ୍ତିନାହାନ୍ତି। ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଡେଉଁରିଆଝରଣ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଏନେଇ ଆଈ ରୀନା ସାହୁଙ୍କ ଅଭିଯୋଗ ଆଧାରରେ ବାଗଡ଼ିଆ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହିତ ନାତି ଚନ୍ଦନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ମୁତାବକ, ଜମିବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ଚନ୍ଦନ ସାହୁ ନିଜ ଘର ଲୋକଙ୍କୁ ଗାଳିଗୁଲଜ କରିଥିଲେ। ପରେ ଏକ ପଥର ଫିଙ୍ଗିଥିଲେ। ଏହି ପଥର ବାଜି ରୀନାଙ୍କ ମୁଣ୍ଡ ଫାଟିଯାଇଥିଲା ଓ ସେ ବେହୋସ ହୋଇ ପଡ଼ିଯାଇଥିଲେ। ରୀନାଙ୍କ ବୋହୂ ସୁମତୀ ସାହୁ ଓ ପିନୁ ସାହୁ ତାଙ୍କୁ ଉଦ୍ଧାର
କରିବା ବେଳେ ଚନ୍ଦନ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲା। ଏଥିସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ରୀନା ସାହୁ, ସୁମତୀ ସାହୁ ଓ ପିନୁ ସାହୁଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ରୀନା ବାଗଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାଗଡ଼ିଆ ପୋଲିସ କେସ ନଂ -୪୨/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଚନ୍ଦନ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।