ଅନୁଗୁଳ: ଆଜି ଅପରାହ୍ନରେ ଜଣେ ବସ୍ ଯାତ୍ରୀଙ୍କୁ ଠିକଣା ସମୟରେ ସହାୟତାର ହାତ ବଢ଼ାଇ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି ଜଣେ ବସ୍ ଡ୍ରାଇଭର।
ଘଟଣାରୁ ପ୍ରକାଶ ଯେ, ଏସପିଏଲର ଏକ ଠିକା ସଂସ୍ଥାରେ କାର୍ଯ୍ୟରତ ଜଣେ କର୍ମଚାରୀ ରଞ୍ଜନ ନାୟକ (୩୨) ବଡକେରଜାଙ୍ଗରେ ଭଡ଼ା ଘରେ ରହନ୍ତି। ଆଜି ସେ ଲକ୍ଷ୍ମୀଶ୍ରୀ ବସରେ ବନରପାଳ ହାଟ ଛକରୁ ଅନୁଗୁଳ ଆସିବା ପାଇଁ ଚଢ଼ିଥିଲେ। ଗାଡ଼ି ନାଲକୋ ପାଖା ପାଖି ହୋଇଥିବାବେଳେ ହଠାତ୍ ରଞ୍ଜନଙ୍କୁ ଅନ୍ଧାର ଦିଶି ଥିଲା।ସେ ନିଜ ସିଟରୁ ତଳକୁ ଖସି ପଡ଼ି ସଂଜ୍ଞା ହରାଇଥିଲେ। ଏହା ଦେଖି ଯାତ୍ରୀଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା। ଗାଡ଼ି ଚାଳକ ଅଶୋକ ନାଏକ କିନ୍ତୁ ଏହା ଦେଖି ଆଦୌ ବିଚଳିତ ନହୋଇ ଗାଡିକୁ ନନ୍ ଷ୍ଟପ୍ ଅନୁଗୋଳ ଡାକ୍ତରଖାନା ଯାଏଁ ନେଇ ଆସିଥିଲେ। ସେଠାରେ ବସ ଡ୍ରାଇଭର ଅଶୋକ କଣ୍ଡକ୍ଟର ଲକ୍ଷ୍ମୀଧର ପୃଷ୍ଟିଙ୍କ ସହାୟତାରେ ରୋଗୀ ରଞ୍ଜନ ନାୟକଙ୍କୁ କାଜୁଆଲିଟିରେ ଭର୍ତ୍ତି କରିଥିଲେ।ଡାକ୍ତର ମଧ୍ୟ ତୁରନ୍ତ ରଞ୍ଜନଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଏହାପରେ ରଂଜନଙ୍କ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା।ସେମାନେ ଆସି ତୁରନ୍ତ ପହଞ୍ଚିଥିଲେ। ଏ ସମ୍ବାଦ ଲେଖା ହେଲା ବେଳକୁ ରଞ୍ଜନ କ୍ରମଶଃ ସୁସ୍ଥ ହେଉଛନ୍ତି। ନିଜର ଜୀବନ ରକ୍ଷା ପାଇଁ ସେ ଗାଡ଼ି ଚାଳକ ଓ ତାଙ୍କ ସହଯୋଗୀଙ୍କୁ ନିଜର ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।ବସ ଡ୍ରାଇଭର ତୁରନ୍ତ ଯାତ୍ରୀଙ୍କୁ ଡାକ୍ତରଖାନା ଆଣି ନ ଥିଲେ ପରିସ୍ଥିତି ଅଣାୟତ୍ତ ହୋଇଥାନ୍ତା। ଗାଡ଼ି ଚାଳକଙ୍କ ଏହି ସାଧୁ ଉଦ୍ୟମ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।