ଅନୁଗୁଳ: ଅନୁଗୁଳ କଲେଜ ପରିସର ଏବେ ପାଲଟିଛି ନିଶା ଖୋରଙ୍କ ଆଡ୍ଡା ସ୍ଥଳୀ। କଲେଜ ପରିସରକୁ ଅନେକ ଲୋକ ଅବୈଧ ଭାବେ ଦଖଲ କରି ରଖିଥିଲେ ମଧ୍ୟ ନିଶାଖୋର ମାନେ ଏକ ଛାମୁଣ୍ଡିଆ କରି ଖୁଲାମଖୁଲା ନିଜ ଅବାଧ କାରବାର ଜାରି ରଖିଛନ୍ତି। ଦିନ ବେଳା ଦୁଇ ଚାରିଜଣଙ୍କ ମେଳି ଜମୁଥିବା ବେଳେ ସନ୍ଧ୍ୟା ହେଲେ ଏହି ସଂଖ୍ୟା ଦଶରୁ ବାର ହୋଇଯାଏ।
ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏଟିଭିର କ୍ୟାମେରା ଟିମ୍ ଜାଗା ପାଖରେ ପହଞ୍ଚିଲା ବେଳକୁ ଦୁଇ ଜଣ ନିଶାଖୋର ଦୌଡ଼ି ପଳାଇଥିଲେ। କଲେଜ ଖେଳ ପଡିଆର ଗଛ ସମୂହ ଭିତରେ ଏହି ଟୁଙ୍ଗିଟି ବାହାରକୁ ପ୍ରାୟତଃ ଦିଶେ ନାହିଁ। ଏହାର ସୁଯୋଗ ନେଇ ରାତିରେ କ୍ୟାଣ୍ଡେଲ କିମ୍ବା ମୋବାଇଲର କ୍ଷୀଣ ଆଲୋକରେ ନିଶାଖୋରଙ୍କ ମେଳି ଜମୁଛି। ଘଟଣାସ୍ଥଳରୁ ଓସିବି ସ୍ଲିମ୍ ପେପର ମିଳିଛି। ଏହି ପେପରକୁ ନିଶା ସେବନ ପାଇଁ ଖାସ କରି ବ୍ରାଉନ ସୁଗାର୍ ସେବନ ପାଇଁ ବ୍ୟବହାର କରାଯାଏ। ଏଣୁ କଲେଜ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି କହିଲେ ଭୁଲ ହେବନି।
ଏ ନେଇ କଲେଜର ଜଣେ ପୁରାତନ ଛାତ୍ର ନିଜ ନାମକୁ ଗୋପନ ରଖି କହିଛନ୍ତି, ଏ ନେଇ ଅଭିଯୋଗ କଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ନିଶାଡ଼ିଙ୍କ ପାଇଁ ଦିନକୁ ଦିନ କଲେଜ ପରିସର ଖରାପ ହେଉଛି। ନୂତନ ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେଲେ, ନିଶାଖୋରଙ୍କୁ ସାବାଡ କରାଯାଇ ପାରନ୍ତା ବୋଲି ସେ କହିଛନ୍ତି।