ଅନୁଗୁଳ: ଅନୁଗୁଳ ବନଖଣ୍ଡରେ ହାତୀପଲ ଏବେ ଗାଁ ମୁହାଁ, ଯାହାକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଯାଇଛି। ଏହି ବନଖଣ୍ଡରେ ବନ୍ତଳା, ଅନୁଗୁଳ, ଛେଣ୍ଡିପଦା, କଣିହାଁ ଏବଂ ଜରପଡା ବନାଞ୍ଚଳ ରହିଛି। ଏହି ସବୁ ବନାଞ୍ଚଳରେ ପ୍ରାୟ ୧୧୦ଟି ଗାଁ ରହିଛି। କିଛି ବର୍ଷ ହେଲା ହାତୀପଲ ଏହି ସବୁ ଗାଁ ଗୁଡିକରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ କରୁଛନ୍ତି। ବିଶେଷ କରି ଧାନ ଫସଲ ସମୟରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଏହି ସମୟରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ବହୁ ଖର୍ଚ୍ଚ କରି ଫସଲ କରିଥିବା ଚାଷୀମାନେ କ୍ଷତି ସହୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ସେହି ଚିରାଚରିତ ଢଙ୍ଗରେ ବାଣ ଫୁଟାଇ ଓ ନିଆଁ ଜାଳି ହାତୀ ଘଉଡ଼ାଉ ଥିବାରୁ ଅଭ୍ୟସ୍ତ ହୋଇ ଯାଇଥିବା ହାତୀ ଆଉ ମାନୁ ନାହାନ୍ତି। ଓଲଟା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଉଛନ୍ତି। ତେଣୁ ବନ କର୍ମଚାରୀ ମଧ୍ୟ ନିରୁପାୟ ହୋଇ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ଆସିବାକୁ ବାଧ୍ୟ ହେଉଛନ୍ତି।
ଅନ୍ୟପଟେ ହାତୀପଲ ଯାହା କ୍ଷତି କରୁଛନ୍ତି ସେହି ପରିମାଣର କ୍ଷତିପୂରଣ ରାଶି ମିଳୁ ନାହିଁ। ଯାହା ମିଳୁଛି ବହୁ ବିଳମ୍ବରେ ସମୁଦ୍ରକୁ ଶଙ୍ଖେ ସଦୃଶ। ଚାଷୀ କ୍ଷତି ସହି ନୟାନ୍ତ ହୋଇ ଗଲେଣି। ବନ ବିଭାଗର ଅପାରଗତା ଯୋଗୁ ଏବେ ହାତୀ ଉପରେ ନିଜର ଆକ୍ରୋଶ ଦେଖିବାକୁ ମିଳୁଛି।
ହାତୀ ମଣିଷ ବିବାଦ ଚରମ ସୀମାରେ ପହଞ୍ଚିଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବନ ବିଭାଗ ମଧ୍ୟ ହାତୀପଲକୁ ଯୋଜନାବଦ୍ଧ ଭାବେ ଘଉଡାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ତେଣୁ କିଛି ଅସନ୍ତୁଷ୍ଟ ଚାଷୀ ଏହାର ପ୍ରତିଶୋଧ ନେବାକୁ ଯୋଜନା କରୁଥିବା ଜଣା ପଡ଼ିଛି। ଫଳରେ ହାତୀ ଜୀବନ ପ୍ରତି ବିପଦ ଘନେଇବାରେ ଲାଗିଛି। ଚାଷୀମାନେ ହାତୀକୁ ବିଦ୍ୟୁତ ତାର ବିଛାଇ କିମ୍ବା ବିଷ ଦେଇ ମାରୁଥିବା ଦେଖାଯାଇଛି।
ଅନୁଗୁଳ ବନଖଣ୍ଡରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୩୯୭ ଏକର ଜମିରେ ହାତୀପଲ ଫସଲ ନଷ୍ଟ କରିଛନ୍ତି। ଚଳିତବର୍ଷ ହାତୀ ଆକ୍ରମଣରେ ୬ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ୫ରୁ ଅଧିକ ହାତୀ ମଧ୍ୟ ମରିଛନ୍ତି। ଶତାଧିକ ଘର ଭାଙ୍ଗିଛି। ତେଣୁ ଏହି ଆର୍ଥିକ ବର୍ଷରେ ୬୨୪୮ଜଣ ବ୍ୟକ୍ତି କ୍ଷତିପୂରଣ ପାଇଁ ବନ ବିଭାଗ ନିକଟରେ ଆବେଦନ କରିଛନ୍ତି। ଆବେଦନକୁ ଭିତ୍ତି କରି ତଦନ୍ତ କରାଯିବା ପରେ ବନ ବିଭାଗ ତରଫରୁ ଫସଲ ନଷ୍ଟ, ମୃତ୍ୟୁ, ଆହତ ଏବଂ ଘରଭଙ୍ଗା ବାବଦକୁ ମୋଟ ୨ କୋଟି ୫ ଲକ୍ଷ ୯୫ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି। ଚଳିତବର୍ଷର ହିସାବ କରାଯାଇନାହିଁ। ବିଗତ ବର୍ଷ ଠାରୁ କ୍ଷୟକ୍ଷତି ପରିମାଣ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ତେବେ ଅନେକ କ୍ଷୁଦ୍ର ଚାଷୀ ଆବେଦନ କରୁ ନାହାନ୍ତି। ନଚେତ କ୍ଷୟକ୍ଷତି ପରିମାଣ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ହାତୀ ଯୋଗୁ କେଉଁ ପରିମାଣର କ୍ଷତି ହେଉଛି।
ଅପର ପକ୍ଷରେ ବହୁ ସଂଖ୍ୟାରେ ହାତୀ ମଧ୍ୟ ପ୍ରାଣ ହରାଇଛନ୍ତି। ହାତୀ ସୁରକ୍ଷା ପାଇଁ ପ୍ରତି ଗାଁରେ ୫ ଜଣ ଲେଖାଏଁ ଗଜ ସାଥୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ହାତୀଙ୍କ ଗତିବିଧି ଲକ୍ଷ କରି ବନ ବିଭାଗକୁ ସୂଚନା ଦେଉଛନ୍ତି। ଲୋକଙ୍କୁ ହାତୀ ଉପସ୍ଥିତି ସମ୍ପର୍କରେ ଜଣାଉଛନ୍ତି ବୋଲି ଅନୁଗୁଳ ଡିଏଫଓ ବିବେକ କୁମାର କହିଛନ୍ତି। ତଥାପି ହାତୀଙ୍କୁ ନିୟନ୍ତ୍ରଣ କରାଯାଇ ପାରୁନଥିବା ଜଣାଯାଇଛି।


