ଭୌଗଳିକ ସ୍ଥିତି ବଦଳିବାରୁ ହାତୀ ଗାଁ ମୁହାଁ ହେଉଛନ୍ତି

You are currently viewing ଭୌଗଳିକ ସ୍ଥିତି ବଦଳିବାରୁ ହାତୀ ଗାଁ ମୁହାଁ ହେଉଛନ୍ତି

ଅନୁଗୁଳ: ହାତୀ ମଣିଷ ବିବାଦ ଗତ ତିନି ଦଶନ୍ଧି ଧରି ଅନୁଗୁଳ ଫରେଷ୍ଟ ସର୍କଲର ବିଭିନ୍ନ ଡିଭିଜନରେ ଉଗ୍ର ରୂପ ନେଇଚି। କେତେବେଳେ ହାତୀ ପୋଚିଂ ହେଉଛି ତ କେତେବେଳେ ହାତୀ ଆକ୍ରମଣରେ ଗ୍ରାମବାସୀ ମରୁଛନ୍ତି। ନିକଟରେ କିଛି ଜଙ୍ଗଲ ବିଭାଗର କର୍ମଚାରୀ ମଧ୍ୟ ହାତୀ ଘଉଡାଇବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି। ପରିସ୍ଥିତି ଏପରି ହୋଇଛି ଅନୁଗୁଳ ସର୍କଲରେ ବର୍ଷକୁ ୧୫ ରୁ ୧୭ ଲୋକଙ୍କ ପ୍ରାଣହାନି ଘଟୁଥିବାବେଳେ ପ୍ରାୟ ୧୫୦୦ ଏକର ଫସଲ ନଷ୍ଟ ହେଉଛି। ନିକଟରେ କୁଲାଡ଼, ବେନ୍ତପୂର, ବଉଳିଗଡ,ଅଙ୍ଗାରବନ୍ଧ, ତାଳଚେର ଅଞ୍ଚଳରେ ହାତୀ ବହୁ ଧନ ଜୀବନ କ୍ଷତି ଘଟାଇଛି। ହାତୀ ଆତଙ୍କରେ ଲୋକେ ରାତିରେ ଶୋଇପାରୁ ନାହାନ୍ତି। ଏ ସମସ୍ୟାର କାରଣ ଓ ସମାଧାନ ନେଇ ଆମେ ଭେଟିଥିଲୁ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଡ଼ଃ ସରୋଜ କୁମାର ପଣ୍ଡାଙ୍କୁ।

ଶ୍ରୀ ପଣ୍ଡାଙ୍କ ମତରେ ଏ ଅଞ୍ଚଳର ଭୌଗଳିକ ସ୍ଥିତି ବଦଳିବା କାରଣରୁ ହାତୀ ମାନଙ୍କ ବ୍ୟବହାରିକ ଜୀବନରେ ପରିବର୍ତନ ଆସିଚି ଯାହାଫଳରେ ସେମାନେ ଏବେ ଗାଁ ମୁହାଁ ହେଉଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ କାରଣରୁ ହାତୀପଲ ଗାଁ ମୁହାଁ ହେଉଥିବା ଯୁକ୍ତିକୁ ସେ ଖଣ୍ଡନ କରିଥିଲେ। ତାଙ୍କ ମତରେ ଆଜିବି ଜଙ୍ଗଲରେ ହାତୀଙ୍କ ପାଇଁ ପ୍ରଚୁର ଖାଦ୍ୟ ରହିଛି। ତେବେ ତାଙ୍କ ଚଲା ପଥ ଅନେକାଂଶରେ ନଷ୍ଟ ହୋଇଯାଇଛି।ସହରିକରଣ ଯୋଗୁଁ ହାତୀ ଚଲାପଥ ନିକଟରେ ରାସ୍ତାଘାଟ ନିର୍ମାଣ, ପୋଲ ନିର୍ମାଣ, ଖଣି ଖୋଦନ ଆଦି କାର୍ଯ୍ୟକ୍ରମ ଦ୍ୱାରା ହାତୀମାନେ ନିଜ ଆବାସସ୍ଥଳୀ ଚିହ୍ନଟରେ ତ୍ରୁଟି କରି ଜନପଦ ମୁହାଁ ହେଉଛନ୍ତି ଆଉ ଥରେ ଗାଁ କୁ ଆସି ଧାନ ମକା,କଦଳୀ ଭଳି ଫସଲ ଖାଇବା ପରେ ସହଜରେ ସେ ଜାଗା ଛାଡ଼ି ଯିବାକୁ ଚାହୁଁ ନାହାନ୍ତି। ଏହି କାରଣରୁ ହାତୀ ଏ ଗାଁ ରୁ ସେ ଗାଁ ବୁଲି ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରୁଛନ୍ତି।

ହାତୀ ଘଉଡାଇବା ପାଇଁ ଯେଉଁ କର୍ମଚାରୀ ବ୍ୟବସ୍ଥା ଅଛି ତାହା ଶତ ପ୍ରତିଶତ ସଫଳ ହେଉନାହିଁ। ମହୁମାଛି, ଲଙ୍କା ଧୂଆଁ, ବାଣ ଫୋଟକା ଏସବୁ ମଧ୍ୟ ସଫଳ ସମାଧାନ ବ୍ୟବସ୍ଥା ନୁହଁ। ଚାଷୀ ମାନେ ଅଧିକ ଧୈର୍ଯ୍ୟଶିଳ ହେବା ସହ ସେମାନଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତି ପୂରଣ ଦେବା, ଫସଲର ବୀମା କରଣ କରାଇବା ଆଦି କାର୍ଯ୍ୟକ୍ରମ ଦ୍ୱାରା ହିଁ ଚାଷୀ ଓ ଜନସାଧାରଣଙ୍କୁ ଅଧିକ ସନ୍ତୁଷ୍ଟି  ଦେଇ ପାରିବ ।

Share

Leave a Reply