ଅନୁଗୁଳ: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଗୁଳ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି। ସଭାରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହି ଅନୁଗୁଳ, ବଅଁରପାଳ ଓ ଅନୁଗୁଳ ପୌରପାଳିକାର ୨୨୦ ଜଣ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ହାରରେ ବର୍ଦ୍ଧିତ ଭତ୍ତା ରାଶି ପ୍ରଦାନ କରିଥିଲେ।
ତେବେ ଅନୁଗୁଳ ଜିଲ୍ଲାରେ ସମସ୍ତ ଉପଖଣ୍ଡ ସ୍ତରରେ ବର୍ଦ୍ଧିତ ଭତ୍ତା ବିତରଣ କରାଯାଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି କଣିହାଁ ପଞ୍ଚାୟତ ସମିତି ଠାରେ ପଞ୍ଚାୟତରାଜ ଅନୁଷ୍ଠାନର ସଭ୍ୟ/ସଭ୍ୟଙ୍କ ଉପସ୍ଥିତିରେ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଥିଲେ। ଜିଲ୍ଲାରେ ମୋଟ ୧୧୪୨୫ ଜଣଙ୍କୁ ବର୍ଦ୍ଧିତ ଭତ୍ତା ନିମନ୍ତେ ରାଜ୍ୟ ସରକାର ଅର୍ଥ ବରାଦ କରିଛନ୍ତି। ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା।