ଅନୁଗୁଳ: ସାଢ଼େ ତିନି ବର୍ଷ ପରେ ବି ଅନୁଗୁଳ ଜିଲ୍ଲା ସଦର ମହକୁମାରେ ହୋଇପାରିଲାନି ଗାନ୍ଧୀ ଭବନ। ସେଠାରେ ବେଆଇନ ଭାବେ ନିର୍ମାଣ ହେଉଥିବା ଅଙ୍ଗନବାଡ଼ି ଗୃହ କାର୍ଯ୍ୟ ଆନ୍ଦୋଳନ ପରେ ବନ୍ଦ ଥିବା ବେଳେ ଏବେ ପୁଣି ଉକ୍ତ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଫଳରେ ଗାନ୍ଧୀ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ମୁତାବକ, ଗାନ୍ଧୀଙ୍କ ସ୍ମୃତିରକ୍ଷା ଲାଗି ଅନୁଗୁଳ ଜିଲ୍ଲା ସଦର ମହକୁମାରେ ଗାନ୍ଧୀ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା। ଏ ନେଇ ୨୦୨୧ ଅକ୍ଟୋବର ୪ ତାରିଖରେ ହୋଇଥିବା ନିଷ୍ପତ୍ତି ଆଜି ସୁଦ୍ଧା ପାଦେ ଆଗେଇ ପାରି ନାହିଁ। ସଦର ମହକୁମାର ଅମଲାପଡ଼ା ନିକଟରେ ନିର୍ମାଣାଧୀନ ଏକ ଗୃହର ଜମିକୁ ଏହି ଭବନ ନିର୍ମାଣ ଲାଗି ପୌରପାଳିକା ପକ୍ଷରୁ ପୂର୍ବରୁ ଚିହ୍ନଟ କରାଯାଇଥିଲା। ଜମିରେ ଏକ ଗୃହ ନିର୍ମାଣ ହେଉଥିବା ଦେଖି ପ୍ରଶାସନ ସହ ସେତେବେଳେ ଯୋଗାଯୋଗ କରାଯିବାରେ ତାହା ଅଙ୍ଗନବାଡି ଘର ବୋଲି ଜଣାପଡ଼ିଥିଲା। କିନ୍ତୁ ସେତେବେଳେ ନିର୍ମାଣକୁ ବିରୋଧ କରିଥିଲେ ବର୍ଷିୟାନ୍ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ସମେତ ଅନ୍ୟ ଗାନ୍ଧୀ ପ୍ରେମୀ। ସେମାନେ ସେତେବେଳେ ବିବାଦୀୟ ସ୍ଥଳରେ ଅନଶନରେ ବି ବସିଥିଲେ। ପରେ ତତ୍କାଳୀନ ଜିଲ୍ଲାପାଳ ସହରର କିଛି ଆଗଧାଡ଼ିର ବ୍ୟକ୍ତିଙ୍କ ସହାୟତାରେ ଶ୍ରୀମତୀ ମହାନ୍ତିଙ୍କୁ ବୁଝାଇଥିଲେ।
ସେହିଦିନ ହିଁ ନିଷ୍ପତ୍ତି ହୋଇଥିଲା ଖୁବ୍ ଶୀଘ୍ର ସହର ମଧ୍ୟରେ ଏକ ଜାଗା ଚିହ୍ନଟ କରାଯିବ, ପ୍ରସ୍ତାବିତ ଗାନ୍ଧିଭବନରେ ସମସ୍ତ ସୁବିଧା ଉପଲବ୍ଧ ହେବ। କିନ୍ତୁ ଏବେ ଉକ୍ତ ବିବାଦୀୟ ସ୍ଥାନରେ ଅଧପନ୍ତରିଆ ହୋଇ ପଡ଼ିରହିଥିବା ଘର କାମ ପୁଣି ଜୋର୍ସୋରରେ ଆରମ୍ଭ ହୋଇଛି। ଫଳରେ ଗାନ୍ଧିଭବନ ନିର୍ମାଣ ନେଇ ପ୍ରଶାସନ ସେତେବେଳେ ଦେଇଥିବା ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇଥିବା ଜଣାଯାଇଛି। ଉକ୍ତ ସ୍ଥାନରେ ଗାନ୍ଧୀ ଭବନ ନିର୍ମାଣ ପାଇଁ ପୁଣି ଦାବି ଜୋର ଧରିଥିବା ସୂଚନା ମିଳିଛି।