ଅନୁଗୁଳ: ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ ପାର୍ଶ୍ବରୁ ବୁଧବାର ଜବର ଦଖଲ ଉଚ୍ଛେଦ କରାଯାଇଛି। ସୂଚନା ମୁତାବକ, ଗତ ମଙ୍ଗଳବାର ରୋଗୀ କଲ୍ୟାଣ ସମିତିବୈଠକରେ ଏହି ଉଚ୍ଛେଦ ନେଇ ପ୍ରସ୍ତାବ ଗୃହୀତ ହେବ ପରେ ଅନୁଗୁଳ ପୌରପାଳିକା ତରଫରୁ ଏହି ଉଚ୍ଛେଦ କରାଯାଇଛି। ଏଠାରେ ଥିବା ଉଠା ଚା’, ଜଳଖିଆ ଦୋକାନ, ଫଳ, ପାନ ଦୋକାନ ଓ ହୋଟେଲ ଆଦିକୁ ଉଚ୍ଛେଦ କରାଯାଇଛି। ଏହି ଉଠା ଦୋକାନୀଙ୍କ ଯୋଗୁଁ ଅନୁଗୁଳ ଛେଣ୍ଡିପଦା ରାସ୍ତାର ଏହି ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା। କେତେକ ମାଫିଆ ରାସ୍ତା କଡ଼ର ଜାଗାକୁ ଉଠା ଦୋକାନୀଙ୍କୁ ଭଡ଼ାରେ ଦେଇ ସୋମନଙ୍କଠାରୁ ମାସିକିଆ ଭଡ଼ା ନେଉଛନ୍ତି। ପ୍ରଶାସନ ଦ୍ବାରା ଏହି ଜବର ଦଖଲକୁ ବାରମ୍ବାର ଉଚ୍ଛେଦ କରାଯାଉଥିଲେ ହେଁ ଏହି ଦଲାଲମାନେ ପୁଣି ଜବରଦଖଲ କରାଉଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ଗୋଟିଏ ଦୋକାନୀ ମାସକୁ ତିନି ହଜାରରୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେଉଥିବା ଜଣା ଯାଇଛି। ସେହିଭଳି ପୌରପାଳିକା ପକ୍ଷରୁ ଅନୁଗୁଳ ୧୮ ଓ ୧୯ ନମ୍ବର ୱାର୍ଡରେ ସରକାରୀ ଡ୍ରେନକୁ ଜବରଦଖଲ କରି ହୋଇଥିବା ନିର୍ମାଣକୁ ମଧ୍ୟ ଉଚ୍ଛେଦ କରାଯାଇଛି।
ଜିଲ୍ଲା ଚିକିତ୍ସାଳୟ ପାର୍ଶ୍ବରୁ ଜବର ଦଖଲ ଉଚ୍ଛେଦ
- Post published:June 22, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul