ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ୱାର୍ଡ ବୁଧବାର ଚଢ଼ଉ କରି ୯୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫଙ୍କ ମଧ୍ୟରେ ଜଣେ ସମିତି ସଭ୍ୟା ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ବାଗଡିଆ ଥାନା ଅଞ୍ଚଳରେ ବ୍ୟାପକ ମହୁଲି ମଦ ବିକ୍ରି ହେଉଥିବା ଖବର ପାଇ ଅନୁଗୁଳ ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ଉ କରିଥିଲେ। ବାଗଡିଆ ରଥ ସାହିରେ ଚଢ଼ଉ ବେଳେ ସମିତି ସଭ୍ୟା ସୀତା ବେହେରା, ରଜନୀ ବେହେରା, ସୁଲୋଚନା ବେହେରାଙ୍କୁ ଗିରଫ କରାଯାଇଥିବା ବେଳେ କଣଲୋଇ ଗ୍ରାମରୁ କୁନ୍ତଳା ମୁଖି ଓ ପାତ୍ରପଡାରୁ ଯଶୋବନ୍ତ ବେହେରାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୯୫ ଲିଟର ଦେଶୀ ମହୁଲି ମଦ ଓ ୧୬୦ କେଜି ପୋଚ ଜବତ କରାଯାଇଛି। ଗିରଫ ୫ ଜଣଙ୍କୁ ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।