ଅନୁଗୁଳ: ଜଙ୍ଗଲ ସମ୍ପଦର ସୁରକ୍ଷା ଏବଂ ବଣନିଆଁକୁ ପ୍ରତିହତ କରିବା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ବ୍ୟାପକ ସଚେତନତା ଓ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭ୍ୟାସ କାର୍ଯ୍ୟକ୍ରମ ବିଭାଗର ସମସ୍ତ ରେଞ୍ଜ୍ରେ ଆୟୋଜିତ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁଗୁଳ ବନଖଣ୍ଡର ସମସ୍ତ ରେଞ୍ଜ ଅଫିସର, ଅଗ୍ନିଶମ ବାହିନୀ ଅଧିକାରୀ, ବନପାଳ, ବନରକ୍ଷୀ, ଗଜ ସାଥୀ, ଗଜ ମିତ୍ର ଏବଂ ପ୍ରତ୍ୟେକ ରେଞ୍ଜର ବନ ଅଗ୍ନି ନିରୋଧ ସ୍କ୍ୱାଡ୍ ସାମିଲ ହୋଇଥିଲେ।
ଏହି ମକ୍ ଡ୍ରିଲ୍ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଣନିଆଁ ଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତିକୁ ଅଧିକ ଶକ୍ତିଶାଳୀ କରିବା। ଏହା ମାଧ୍ୟମରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ଦ୍ରୁତ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କ ଜୀବନ ଓ ଜୀବିକାର ନିରାପତ୍ତା ପାଇଁ ଅନୁଗୁଳ ବନଖଣ୍ଡ ସର୍ବଦା ନିଜର ପ୍ରତିବଦ୍ଧତା ପ୍ରକାଶ କରିଆସିଛି। ସମସ୍ତ ଅଂଶୀଦାରଙ୍କ ମିଳିତ ସହଯୋଗ ଓ ନିଷ୍ଠା ଅନୁଗୁଳ ବନଖଣ୍ଡର ଏହି ଅଭିଯାନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।


