ଅନୁଗୁଳ: ଅନୁଗୁଳ ସହରର ହେମୁସୁରଫଡ଼ାଠାରେ ଏକ ଘରୋଇ କମ୍ପାନୀର ଜଣେ କର୍ମଚାରୀଙ୍କୁ ମରଣାନ୍ତକ ଅକ୍ରମଣକରିବା ଅଭିଯୋଗରେ ଅନ୍ୟଜଣେ ସହକର୍ମୀଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଯେ, ଢ଼େଙ୍କାନାଳ ଜିଲ୍ଲା କୁସୁମୁଣ୍ଡିଆ ଗାଁର ଚିନ୍ମୟ ରଞ୍ଜନ ସାହୁ(୨୧) ଢ଼େଙ୍କାନାଳ ବିନ୍ଦଲରେ କାମ କରନ୍ତି। ସେମାନଙ୍କୁ କମ୍ପାନୀ ତରଫରୁ ଅନୁଗୁଳ ସହରର ହେମୁସୁରପଡ଼ାର ଏକ ଘର ଭଡ଼ାରେ ରଖାଇଛି। ମଙ୍ଗଳବାର ରାତିରେ ଚିନ୍ମୟ ତାଙ୍କ କୋଠରୀରେ ବସିଥିବା ବେଳେ ସେଠାରେ ସହକର୍ମୀ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବିଲବାରୁଆଁ ଗାଁର ଜିତେନ୍ ବାରିକ(୨୧) ପହଞ୍ଚି ଅଶାଳିନ ମନ୍ତବ୍ୟ ଦେଇଥିଲେ। ଏ ଭଳି କାହିଁକି କହୁଛ ବୋଲି ଚିନ୍ମୟ କହିବାରୁ ଜିତେନ୍ ଏକ ଷ୍ଟିଲ ବୋତଲରେ ଚିନ୍ମୟଙ୍କ ମୁଣ୍ଡରେ ଶକ୍ତ ଆଘାତ କରିଥିଲେ। ଫଳରେ ଚିନ୍ମୟ ଗୁରୁତର ଆହତ ହୋଇ ଚେତା ହରାଇଥିଲେ। ଅନ୍ୟ ସହଯୋଗିମାନେ ଚିନ୍ମୟଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଏ ନେଇ ଚିନ୍ମୟ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଜିତେନକୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି।