ଜ୍ୱାଇଁହନ୍ତା ଶ୍ୱଶୁରଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

You are currently viewing ଜ୍ୱାଇଁହନ୍ତା ଶ୍ୱଶୁରଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

ଅନୁଗୁଳ: ଦୋଷୀ ସାବ୍ୟସ୍ତ ହେଲେ ଜ୍ୱାଇଁହନ୍ତା ଶ୍ୱଶୁର। ପାରିବାରିକ କଳହ ପାଇଁ ଜ୍ବାଇଁଙ୍କୁ ହତ୍ୟା କରିଥିବା ରାଧାରମଣପଡ଼ାର ଶ୍ୱଶୁର ବିପିନ ସାହୁଙ୍କୁ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅତିରିକ୍ତ ବର୍ଷେ ଜେଲ୍‌ ଦଣ୍ଡ ନିର୍ଦ୍ଦେଶ ହୋଇଛି।

ସୂଚନା ମୁତାବକ, ବିପିନ ସାହୁ(୬୬)ଙ୍କ ଏକମାତ୍ର ଝିଅ ରୁନି ସାହୁ(୨୩) ମୋଟଙ୍ଗା ଥାନା ହିନ୍ଦୋଳରୋଡର ଜମ୍ବେଶ୍ବର ପୃଷ୍ଟିଙ୍କୁ ବିବାହ କରିଥିଲେ। ଜମ୍ବେଶ୍ବର ଓ ତାଙ୍କ ପତ୍ନୀ ଅନୁଗୁଳରେ ରହୁଥିଲେ। କିନ୍ତୁ ବିପିନ ପ୍ରାୟ ସମୟରେ ପତ୍ନୀଙ୍କୁ ମାରପିଟ୍ କରିବାରୁ ସ୍ତ୍ରୀ ତାଙ୍କ ଝିଅ ଘରେ ରହୁଥିଲେ। ଏହାକୁ ନେଇ ଦୁଇ ପରିବାରରେ ଅଶାନ୍ତି ଲାଗି ରହିଥିଲା। ଗତ ୨୦୨୦ ସେପ୍ଟେମ୍ବର ୮ ତାରିଖରେ ରୁନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସମୟରେ ରାସନ ଚାଉଳ ଆଣିବା ପାଇଁ ରୁନିଙ୍କ ମା’ ଓ ସ୍ବାମୀ ଜମ୍ବେଶ୍ବର ଅନୁଗୁଳ ରାଧାରମଣପଡ଼ାସ୍ଥିତ ଘରକୁ ଆସିଥିଲେ। ବିପିନ ତାଙ୍କ ପତ୍ନୀ ଓ ଜ୍ବାଇଁଙ୍କୁ ଦେଖି ରାଗରେ ଗାଳିଗୁଲଜ କରିଥିଲେ। ଜମ୍ବେଶ୍ବର ତାଙ୍କ ଶ୍ବଶୁରଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲାବେଳେ ବିପିନ ହଠାତ୍‌ ଏକ ଛୁରୀ ଆଣି ଜମ୍ବେଶ୍ବରଙ୍କ ପେଟକୁ ଭୁଷି ଦେଇଥିଲେ।

ସ୍ଥାନୀୟ ଲୋକେ ଜମ୍ବେଶ୍ବରଙ୍କୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୧୨ ତାରିଖରେ ଜମ୍ବେଶ୍ବରଙ୍କ ମୃତ୍ୟୁ ହୋଇଥିଲା। ଏନେଇ ରୁନି ଅନୁଗୁଳ ଥାନାରେ ଏତଲା ଦେବା ପ‌ରେ ପୋଲିସ ୧୦୭୫/୨୦ରେ ଏକ ମାମଲା ରୁଜୁ କରି ବିପିନ ସାହୁଙ୍କୁ ଗିରଫ କରିଥିଲା।

ଆଜି ଉକ୍ତ ମାମଲାର ଶୁଣାଣି କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରଂଜିତା ଜ୍ୟୋତିଷି ଶ୍ବଶୁର ବିପିନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ଏହି ମାମଲାକୁ ପରିଚାଳନା କରୁଥିଲେ।

Share

Leave a Reply