ହୋଲିରେ ରକ୍ତ ରଞ୍ଜିତ ହେଲା ସରାଙ୍ଗ ଗାଁ: ସଂଘବଦ୍ଧ ଆକ୍ରମଣରେ ବାପାଙ୍କ ମୃତ୍ୟୁ, ମା’ ଓ ପୁଅ ଗୁରୁତର

You are currently viewing ହୋଲିରେ ରକ୍ତ ରଞ୍ଜିତ ହେଲା ସରାଙ୍ଗ ଗାଁ: ସଂଘବଦ୍ଧ ଆକ୍ରମଣରେ ବାପାଙ୍କ ମୃତ୍ୟୁ, ମା’ ଓ ପୁଅ ଗୁରୁତର

ଅନୁଗୁଳ: ରଙ୍ଗର ପର୍ବ ହୋଲିରେ ଉତ୍ସବ ପରିବର୍ତ୍ତେ ଖେଳିଯାଇଛି ଶୋକର ଛାୟା। ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଗ୍ରାମରେ ଏକ ସାମାନ୍ୟ ବଚସାରୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼ ହୋଇଛି। ଏହି ଅଭାବନୀୟ କାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ଦୁଇ ସଦସ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ମୃତକଙ୍କ ନାମ ବିଶ୍ୱନାଥ ବେଜ। ସୂଚନା ଅନୁଯାୟୀ, ବିଶ୍ୱନାଥ ଗାଧୋଇବାକୁ ଯାଇଥିବା ସମୟରେ ପଡ଼ୋଶୀଙ୍କ ସହ କୌଣସି ଏକ ସାମାନ୍ୟ କଥାକୁ ନେଇ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ଘଟଣା ପରେ ବିଶ୍ୱନାଥ ଘରେ ଥିବା ବେଳେ, କିଛି ଲୋକ ଅତର୍କିତ ଭାବେ ସଂଘବଦ୍ଧ ହୋଇ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।
ବିଶ୍ୱନାଥଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପରିବାର ଲୋକ ଦୌଡ଼ି ଆସିବାରୁ ଆକ୍ରମଣକାରୀମାନେ ସେମାନଙ୍କୁ ମଧ୍ୟ ଛାଡ଼ିନଥିଲେ। ଛୁରାମାଡ଼ରେ ବିଶ୍ୱନାଥଙ୍କ ପତ୍ନୀ ସୁଜାତା ବେଜ ଏବଂ ତାଙ୍କ ୧୯ ବର୍ଷୀୟ ପୁଅ ସୌଭାଗ୍ୟ ବେଜ ମଧ୍ୟ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଶ୍ୱନାଥଙ୍କୁ ଉଦ୍ଧାର କରି ତାଳଚେର ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ, ଗୁରୁତର ଆହତ ହୋଇଥିବା ସୁଜାତା ଓ ସୌଭାଗ୍ୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ଏବେ ମଧ୍ୟ ସଂକଟାପନ୍ନ ଥିବା ଜଣାପଡ଼ିଛି।

Share

Leave a Reply