ଗଣମାଧ୍ୟମ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ- ଘୃଣା ସୃଷ୍ଟି କରୁଥିବା ଟିଭି ଆଙ୍କରମାନଙ୍କୁ ପରଦାରୁ ହଟାଇବା ଦରକାର

You are currently viewing ଗଣମାଧ୍ୟମ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ- ଘୃଣା ସୃଷ୍ଟି କରୁଥିବା ଟିଭି ଆଙ୍କରମାନଙ୍କୁ ପରଦାରୁ ହଟାଇବା ଦରକାର

ଭୁବନେଶ୍ୱର: ହେଟ୍ ସ୍ପିଚ୍ ମାମଲାକୁ ନେଇ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଘୃଣା ସୃଷ୍ଟିକାରୀ ଆଙ୍କରମାନଙ୍କୁ ଟିଭି ପରଦାରୁ ହଟାଇବାକୁ ବି କଡ଼ା ଟିପ୍ପଣୀ ଦେଇଛନ୍ତି। ଶୁକ୍ରବାର ହେଟ୍ ସ୍ପିଚ୍ ସହ ଜଡ଼ିତ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଟିଭି ଚ୍ୟାନେଲ ଗୁଡିକର କାମ କରିବା ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଗଣମାଧ୍ୟମ ସମାଜକୁ ବାଣ୍ଟିବାର କାମ କରି ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରୋକ୍‌ଠୋକ୍ କହିଛନ୍ତି।

ଶୁଣାଣି ସମୟରେ ଜଷ୍ଟିସ୍ ଜୋସେଫ କହିଛନ୍ତି ଯେ ଗଣମାଧ୍ୟମ ଘଟଣାକୁ ଚାଞ୍ଚଲ୍ୟକର ଖବର କରିଦେଉଛନ୍ତି। ଫଳରେ ସମାଜରେ ବିଭାଜନ ସୃଷ୍ଟି ହେଉଛି। ଖବରକାଗଜ ତୁଳନାରେ ଭିଜୁଆଲ ମିଡିୟମ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ। ଆମର ଦର୍ଶକ, କଣ ଏହିପରି କଣ୍ଟେଣ୍ଟ ଦେଖିବା ପାଇଁ ସମ୍ପୂର୍ଣ୍ଣ ପରିପକ୍ୱ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଯଦି ଟିଭି କାର୍ଯ୍ୟକ୍ରମରେ ଆଙ୍କର ହିଁ ସମସ୍ୟାର ଅଂଶ ହେବେ ତେବେ କଣ କରାଯାଇ ପାରିବ ବୋଲି ମାମଲାର ଶୁଣାଣି ବେଳେ ଜଷ୍ଟିସ ଜୋସେଫ ନ୍ୟୁଜ୍ ବ୍ରଡକାଷ୍ଟର ଏବଂ ଡିଜିଟାଲ ଆସୋସିଏସନର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀଙ୍କୁ ପଚାରିଛନ୍ତି। ଏନବିଏସଏ ପକ୍ଷପାତିତା ନ କରିବା ଦରକାର । ଆପଣ କେତେ ଥର ନ୍ୟୁଜ୍ ଆଙ୍କରଙ୍କୁ ହଟାଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଜଷ୍ଟିସ ଜୋସେଫ ଆହୁରି କହିଛନ୍ତି ଯେ, ଗୋଟିଏ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ନିରପେକ୍ଷତାର ଚାବି ଆଙ୍କର ପାଖରେ ରହିଥାଏ । ଯଦି ଆଙ୍କର ନିରପେକ୍ଷ ହେବେନି, ଆଙ୍କର କୌଣସି ପକ୍ଷର କଥାକୁ ରଖିବାକୁ ଚାହିଁଲେ, ସେ ଅନ୍ୟ ପକ୍ଷକୁ ମ୍ୟୁଟ୍ କରିଦେବେ, କୌଣସି ଏକ ପକ୍ଷ ଉପରେ ପ୍ରଶ୍ନ ଉଠାଇବେ ନାହିଁ । ଏହା ପକ୍ଷପାତିତାର ପ୍ରତୀକ ବୋଲି ବିଚାରପତି କହିଛନ୍ତି। ଆପତ୍ତିଜନକ ଆଙ୍କରଗୁଡିକୁ ଅଫ୍ ଏୟାର କରାଯିବା ଦରକାର ଏବଂ ପ୍ରୋଗ୍ରାମ କୋଡ୍ ଉଲ୍ଲଂଘନ କରୁଥିବା ଚ୍ୟାନେଲ ଉପରେ ମୋଟା ଜରିମାନା ଲାଗୁ କରାଯିବ ଉଚିତ ବୋଲି କୋର୍ଟ କହିଛନ୍ତି ।

Share

Leave a Reply