ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଆଜି ରେଲୱେ ପ୍ରୋଟେକ୍ସନ ଫୋର୍ସର ମିଳିତ ସହଯୋଗରେ ଚଢ଼ଉ କରି ଅବକାରୀ ବିଭାଗ ୫୮ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ବ୍ଯବସାୟୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ର ଆକୋଲା ଅଞ୍ଚଳର ଏସକେ ଜାଫର୍ (୨୮), ସମୀର ଖାନ (୨୪) ଓ ଗୌରବ ନାମପାଲେ (୨୧)।
ସୋମବାର ପୂର୍ବାହ୍ନରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ମଧୁସ୍ମିତ ନାୟକଙ୍କ ନିର୍ଦ୍ଦେଶରେ ଉପ ଅଧୀକ୍ଷକ ନୀଳାଦ୍ରି ନାୟକ ଏକ ଟିମ୍ ସହ ରେଳ ବିଭାଗର ପ୍ରୋଟେକ୍ସନ ଫୋର୍ସ ସହାୟତାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଅନୁଗୁଳ ଷ୍ଟେସନ ନିକଟରୁ ୫,୮୦,୦୦୦ ମୂଲ୍ୟର ୫୮ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ପୁଲିସ ୩ ଜଣ ମହାରାଷ୍ଟ୍ରର ବାସିନ୍ଦାଙ୍କୁ ଗିରଫ କରିଛି।
ଏହି ଚଢ଼ଉରେ ଅବକାରୀ ଏସଆଇ ରମ୍ଭା ବାଗ୍, ଆଇଆଇସି ଗାୟତ୍ରୀ ମାଝୀ, ଆରପିଏଫ୍ ଏସଆଇ ଜେ.ମୌର୍ଯ୍ୟଙ୍କ ସହ ଅନ୍ଯ ଆରପିଏଫ୍ ଏବଂ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।