ଉତ୍କଳ କୋଇଲା ଇ-ବ୍ଲକ୍‌ର ପ୍ରଥମ ସବ୍ କମିଟି ବୈଠକ, ପୁନର୍ବାସ ଓ ଥଇଥାନ ଯୋଜନା ନେଇ ଆଲୋଚନା

0

ଅନୁଗୁଳ: ଉତ୍କଳ କୋଇଲା ଇ-ବ୍ଲକ୍‌ର ପ୍ରଥମ ସବ୍ କମିଟି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆରକ୍ଷୀ ଅଧ୍ୟକ୍ଷକ ଜଗମୋହନ ମୀନା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ବୈଠକରେ ବିସ୍ଥାପିତ ଓ ଥଇଥାନ କଲୋନୀ ପାଇଁ ୬୭.୨୭ ଏକର ଜମି ଅଧିଗ୍ରହଣ ମଧ୍ୟରୁ ୫୪.୨୦ ଏକର ସରକାରୀ ଜମି ଓ ୧୩.୦୭ ଏକର ଘରୋଇ ଜମି ରହିଛି। ୨୦୨୧ ମସିହା ଅନୁସନ୍ଧାନ ତଥ୍ୟ ଅନୁଯାୟୀ, ଏଥିରେ ୫୦୭ଟି ପ୍ରକଳ୍ପ ବାସଚ୍ୟୁତ ପରିବାର ଥିବାବେଳେ ୯୭୯ଟି ପ୍ରକଳ୍ପ ପ୍ରଭାବିତ ପରିବାର ରହିଛନ୍ତି। ଅଧିଗ୍ରହଣ ହୋଇଥିବା ଜମିରେ ବାସଚ୍ୟୁତ ପରିବାରଙ୍କ ପାଇଁ ବ୍ୟକ୍ତିଗତ ବାସଗୃହ, ମାର୍କେଟ କମ୍ପ୍ଲେକ୍ସ, ବିଦ୍ୟାଳୟ, ଗୋଷ୍ଠୀ କେନ୍ଦ୍ର, ସ୍ବାସ୍ଥ୍ୟ କେନ୍ଦ୍ର, ମନ୍ଦିର, ପୁଷ୍କରିଣୀ, ବିଦ୍ୟୁତ୍ ସବ୍ ଷ୍ଟେସନ ଆଦି ନିର୍ମାଣ କରାଯିବ। ପ୍ରକଳ୍ପ ବାସଚ୍ୟୁତ ପରିବାର ତାଲିକାକୁ ଜିଲ୍ଲା ପ୍ରାଧିକରଣ, ନାଲ୍‌କୋ ଓ ଗ୍ରାମ୍ୟ କମିଟି ପକ୍ଷରୁ ଅପଡେଟ୍ କରାଯିବ। ପ୍ରତ୍ୟେକ ବ୍ୟକ୍ତିଗତ ବାସଗୃହକୁ କଣ୍ଟାବାଡ଼ ଦେଇ ଆବଦ୍ଧ କରାଯିବ। ଅଧିଗ୍ରହଣ ଜାଗାରେ ୪୫୦ଟି ବାସଗୃହ ନିର୍ମାଣ କରାଯିବ। ବଳକା ରହିଯାଇଥିବା ପ୍ରକଳ୍ପ ବାସଚ୍ୟୁତ ପରିବାରକୁ ସେମାନଙ୍କ ନିଜ ପସନ୍ଦରେ ୧୦ ଡେସିମିଲ ଜାଗା ଓ ଘର ବଦଳରେ ଆର୍ଥିକ କ୍ଷତିପୂରଣ ଦିଆଯିବ। ୨୦୦୬ ମସିହା ଥଇଥାନ ଓ ବିସ୍ଥାପିତ ନୀତି ଅନୁଯାୟୀ ପ୍ରତ୍ୟେକ ବାସଚ୍ୟୁତ ପରିବାରକୁ ନାଲକୋ ତରଫରୁ ଏକକାଳୀନ ୨୦ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିସହ ଗୃହ ନିର୍ମାଣ ସହାୟତା ବାବଦରେ ୮ ଲକ୍ଷ ଟଙ୍କା, ଅସ୍ଥାୟୀ ଗୃହ ନିର୍ମାଣ ସହାୟତା ବାବଦରେ ୧୮ ହଜାର ୨୦୦ ଟଙ୍କା, ଭରଣପୋଷଣ ଭତ୍ତା ବାବଦରେ (ଏକ ବର୍ଷ ପାଇଁ) ମାସିକ ୫ ହଜାର ଟଙ୍କା ଲେଖାଏଁ ୬୦ ହଜାର ଟଙ୍କା ଓ ପରିବହନ ଖର୍ଚ୍ଚ ବାବଦରେ ପ୍ରତ୍ୟେକ ବାସଚ୍ୟୁତ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ସେହିପରି ନାଲ୍‌କୋ ଦ୍ବାରା ପ୍ରକଳ୍ପ ବାସଚ୍ୟୁତ ପରିବାର ପାଇଁ ପ୍ରସ୍ତାବିତ ଥଇଥାନ ଯୋଜନାରେ ଏକକାଳୀନ ପୁନର୍ବସତି ଭତ୍ତା ବାବଦରେ ୫୦ ହଜାର ଟଙ୍କା ଦିଆଯିବ। ଏକକାଳୀନ ରୋଷେଇ ବଗିଚା ପାଇଁ ୩ ହଜାର ଟଙ୍କା, ଏକକାଳୀନ ଅତିରିକ୍ତ ପ୍ରୋତ୍ସାହନ ଆଗୁଆ ଘର ଛାଡିଲେ ସେମାନଙ୍କୁ ୯୩ ହଜାର ୮୦୦ ଟଙ୍କା, ଗୁହାଳ ନିର୍ମାଣ ନିମନ୍ତେ ୨୫ ହଜାର ଟଙ୍କା ପ୍ରଦାନ କରାଯିବ।

କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବଇତୁରା ଦିପ୍, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଲଳିତ ମୋହନ ବେହେରା, ନାଲକୋର ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା, ନିର୍ଦ୍ଦେଶକ (ପି ଆଣ୍ଡ ଟି) ମାନସ ପ୍ରସାଦ ମିଶ୍ର, ଜି ଜି ଏମ୍ ( ଏଚ୍ ଆଣ୍ଡ ଏ) ସତ୍ୟାନନ୍ଦ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.

error: Content is protected !!