ଅନୁଗୁଳ: ନିକଟରେ ସ୍ଥାନୀୟ ସଭାଘରେ ଟିବି ମୁକ୍ତ ଭାରତ ଅଭିଯାନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜିଲ୍ଲାର ଏକାଧିକ ବିଧାୟକ ଯୋଗ ଦେଇଥିଲେ। ଦେଶକୁ ଟିବି ମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ ଟିବି ରୋଗୀଙ୍କୁ ବିଭିନ୍ନ ଶିଳ୍ପଦ୍ୟୋଗ ପକ୍ଷରୁ ଦିଆଯାଉଥିବା
ପୁଷ୍ଟିକର ଖାଦ୍ୟ ପୁଡିଆ ଉପରେ ଆଲୋଚନା କରାଯାଇଥିଲା। ସମାରୋହରେ ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଗାର୍ଗୀ ପରାଶର ଟିବି ରୋଗୀଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ନିଜ ସଞ୍ଚୟ ପାଣ୍ଠିରୁ ୨୫ ହଜାର ଟଙ୍କା ଦାନ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସୁଶ୍ରୀ ଗାର୍ଗୀଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ଗାର୍ଗୀଙ୍କ ବଦାନ୍ୟତା ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।