ଭୁବନେଶ୍ବର: ମତଦାନ ପାଇଁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ସବୁ ଦଳର ପ୍ରାର୍ଥୀ ମାନେ ନିଜ ନିଜ ପ୍ରଚାର କରିବାରେ ଲାଗିପଡିଛନ୍ତି। ଘରକୁ ଘର ବୁଲି ପ୍ରଚାର କରିବା ସହ ଏବେ ପ୍ରାର୍ଥୀମାନେ ସୋସିଆଲ ମିଡ଼ିଆର ମଧ୍ୟ ସାହାଯ୍ୟ ନେଉଛନ୍ତି। ଏହି ନିର୍ବାଚନରେ ଡିଜିଟାଲ୍ ପ୍ରଚାର ଫୋକସ୍ରେ ରହିଛି। ସବୁ ଦଳ ଡିଜିଟାଲ୍ ପ୍ରଚାରକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ବିଷୟବସ୍ତୁ ଆଧାରରେ ଦଳର ପ୍ରଚାର ସଙ୍ଗୀତ ତିଆରି ହେଉଛି। ଏଥିରେ ଦଳୀୟ ପ୍ରାର୍ଥୀମାନେ ନୂଆ ନୂଆ ପ୍ରଚାର ଗୀତ ମଧ୍ୟ ନିର୍ବାଚନ ମଣ୍ଡଳୀ ଓ ନିଜର ଆଭିମୁଖ୍ୟକୁ ନେଇ ତିଆରି କରୁଛନ୍ତି। ସେ ପ୍ରଚାର ଗୀତକୁ ନେତାଙ୍କ ଫଟୋ ଓ ଭିଡ଼ିଓ ସହ ଯୋଡ଼ି ସାମାଜିକ ଗଣମାଧ୍ୟମରେ ସମର୍ଥକ ଜୋର୍ଦାର ପ୍ରଚାର ଚଳାଇଛନ୍ତି ।
ବିଜେଡି ସମର୍ଥକଙ୍କ କଲର୍ଟ୍ୟୁନ୍ ଠାରୁ ଆରମ୍ଭ କରି ଷ୍ଟାଟସ୍ ପର୍ଯ୍ୟନ୍ତ ସବୁଠି ବିଜେଡିର ଥିମ୍ ସଙ୍ଗ୍ ରହୁଥିବା ଦେଖିବାକୁ ମିଳୁଛି। ‘‘ସେ ନୂଆ ଓଡ଼ିଶାର ନାୟକ… ସେ ସ୍ବଚ୍ଛ ଶାସନର ପ୍ରତୀକ… ସେ କୋଟି ଓଡ଼ିଆର ରକ୍ଷକ… ସେ ଜନନେତା ଜନନାୟକ…କହେ ଆଜି ସବୁ ଓଡ଼ିଆ… ନବୀନ ବାବୁ ଆମ ବଢ଼ିଆ… ଓଡ଼ିଶା ଆଜି ଆଗଉଛିରେ ପ୍ରଗତି ପଥରେ… ଶଙ୍ଖ ବାଜିବ ଘରେ ଘରେ… ନବୀନ ବାବୁ ଆଉ ଥରେ…’’। ବିଜୁ ଜନତା ଦଳର ଏହି ନିର୍ବାଚନ ଗୀତ ଏବେ ଚର୍ଚ୍ଚାରେ। ଗୀତରେ ବିଜେଡି, ଶଙ୍ଖ ଚିହ୍ନ, ନବୀନ ବାବୁ ଓ ଭିକେ ପାଣ୍ଡିଆନ୍ଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଏଥିସହ ମିଶନ ଶକ୍ତି, ନୂଆ-ଓ ଛାତ୍ର ବୃତ୍ତି, କାଳିଆ ଯୋଜନା, ୫ଟି ଓ ନବୀନ ଓଡ଼ିଶା, ଲକ୍ଷ୍ମୀ ବସ୍, ମୋ ସ୍କୁଲ୍, ହସ୍ପିଟାଲ ରୂପାନ୍ତରଣ, ବିଜୁ ସ୍ବାସ୍ଥ୍ୟ କାର୍ଡ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଫଳତାକୁ ଏହି ଗୀତରେ ବର୍ଣ୍ଣନା କରାଯାଇଛି। କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଏ ଗୀତ ଗାଇଛନ୍ତି। ଗୀତ ରଚନା ପ୍ରମୋଦ ପରିଡ଼ା କରିଥିବା ବେଳେ ବିରଜା ପ୍ରସାଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ‘‘ତୁମେ ଓଡ଼ିଶା ବାସୀଙ୍କ ପ୍ରିୟ ଓଡ଼ିଆଙ୍କ ପରିଚୟ… ହେ ନବୀନ ବାବୁ ତୁମକୁ ହୃଦୟର ଧନ୍ୟବାଦ’’, ‘‘ହେ ଶୂନ୍ୟ ଫକୀର, ଜୀବନ ତୁମର ଜଗତ କଲ୍ୟାଣ ପାଇଁ…’’ ଭଳି ନୂଆଗୀତ ସହ ୨୦୧୯ ସାଧାରଣ ନିର୍ବାଚନରେ ହ୍ୟୁମାନ ସାଗର ଗାଇଥିବା ‘‘ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍’’ ଗୀତ ମଧ୍ୟ ଚର୍ଚ୍ଚାରେ ରହିଛି।
ଅନ୍ୟପଟେ ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଗୀତ ପ୍ରସ୍ତୁତ କରିଛି। ଜାତୀୟସ୍ତରରେ ମୋଦି ଗ୍ୟାରେଣ୍ଟିକୁ ନେଇ ହିନ୍ଦୀଭାଷାରେ ‘‘ମେଁ ମୋଦିକା ପରିବାର ହୁଁ…’’ ପ୍ରଚାର ଗୀତ କରାଯାଇଛି। ସେହି ଆଧାରରେ ଓଡ଼ିଆରେ ‘‘ଆମେ ମୋଦି ପରିବାର… ମୋଦି ଗ୍ୟାରେଣ୍ଟି ଆମର…’’ ଗୀତ ଏବେ ଚାରି ଆଡ଼େ ବାଜୁଛି ଓ ସୋସିଆଲ୍ ମିଡିଆରେ ବୁଲୁଛି। ସେହିପରି ‘‘ଜୟ ଶ୍ରୀ ରାମ ଶୁଭୁଛି… ମୋଦି ସରକାର ପୁଣି ଆସୁଛି’’ ଭଳି ଅନ୍ୟ ଏକ ଚର୍ଚ୍ଚିତ ଗୀତ ବିଜେପି କର୍ମୀଙ୍କ ଇନ୍ଷ୍ଟାଗ୍ରାମ, ଫେସ୍ବୁକ୍ ଓ ହ୍ବାଟସ୍ଆପ୍ ଷ୍ଟାଟସ୍ରେ ରହୁଛି।
ଅନ୍ୟପକ୍ଷରେ କଂଗ୍ରେସର କିଛି ବିଧିବଦ୍ଧ ପ୍ରଚାର ଗୀତ ଏଯାଏ ଆସି ନାହିଁ। କିନ୍ତୁ ପ୍ରାୟ ୧୦୦ ଟି ହାଇଟେକ୍ ପ୍ରଚାର ଗାଡ଼ି ଜରିଆରେ ପ୍ରଚାର ଚଳାଇଛି ଦଳ। ଦଳର କିଛି ପ୍ରାର୍ଥୀ ନିଜର ଗୀତ ମଧ୍ୟ ତିଆରି କରିଛନ୍ତି।
ଦଳ ବ୍ୟତୀତ ଦଳର ହେଭିୱେଟ୍ ନେତା ମଧ୍ୟ ନିଜ ପାଇଁ ପ୍ରଚାର ଗୀତ କରୁଛନ୍ତି। ତା’ ଭିତରୁ ଅଧିକ ଚର୍ଚ୍ଚାରେ ରହିଛି ସମ୍ବଲପୁରରେ ଲଢ଼ୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରଖ୍ୟାତ ବଲିଉଡ୍ କଣ୍ଠଶିଳ୍ପୀ କୈଳାସ ଖେର୍ ଗାଇଥିବା ‘‘ଲାନା ହେ ପରିବର୍ତ୍ତନ… ଓଡ଼ିଶା ପରିବର୍ତ୍ତନ…’’। ସେହିପରି ସମାନ ଆସନରୁ ଲଢୁଥିବା ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ଗାୟକ ରୁକୁ ସୁନା ଗାଇଛନ୍ତି ‘‘ବିକାଶର ସାରଥୀ ପ୍ରଣବ ପ୍ରକାଶ…’’। ସ୍ମୃତି ସାମନ୍ତରାୟ (ରାନା) ଏହି ଗୀତକୁ ପ୍ରସ୍ତୁତ କରିଥିବା ଜଣାଯାଇଛି।