ଅନୁଗୁଳ: ଖଣି ଖାଦାନରେ ଭରପୂର ଅନୁଗୁଳ ଜିଲ୍ଲାରେ ମିଳିଛି ଗ୍ରାଫାଇଟ୍ର ସନ୍ଧାନ। ଅନୁଗୁଳ ବ୍ଲକ୍ ବଡ଼କନ୍ତକୁଳ ଓ କଂଜା ଅଞ୍ଚଳରେ ମାଟି ତଳେ ଗ୍ରାଫାଇଟ୍ ରହିଥିବା ଜଣାପଡ଼ିଛି। ପାଖାପାଖି ୨ ମାସ ହେଲା ଭୂତତ୍ତ୍ବ ନିର୍ଦ୍ଦେଶାଳୟର ଏକ ଟିମ୍ ଏହି ଅଞ୍ଚଳରେ ପରୀକ୍ଷା ନିରୀକ୍ଷା କରୁଥିଲା। କେତେ ପରିମାଣର ଗ୍ରାଫାଇଟ୍ ରହିଛି ତା’ର ଆକଳନ କରାଯାଇ ଖଣି ଖନନ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ଅନୁଗୁଳ ଜିଲ୍ଲାର ତାଳଚେର, କଣିହାଁ ଓ ଛେଣ୍ଡିପଦା ବ୍ଲକ୍ରେ ପ୍ରଚୁର କୋଇଲା ମହଜୁଦ ରହିଛି। ଏଠାରୁ କୋଇଲା ଉତ୍ତୋଳନ ଚାଲିଥିଲା ବେଳେ ଜିଲ୍ଲାରୁ ଆଉ କୌଣସି ମୂଲ୍ୟବାନ ଖଣିଜ ପଦାର୍ଥର ସନ୍ଧାନ ମିଳି ନ ଥିଲା। ତେବେ ଦୀର୍ଘବର୍ଷ ବ୍ୟବଧାନରେ କଂଜା ଓ କନ୍ତକୁଳରେ ଗ୍ରାଫାଇଟ୍ର ସନ୍ଧାନ ମିଳିବା ପରେ ଜିଲ୍ଲାରେ ଖଣି ବଢ଼ିବ ବୋଲି ଅନୁମାନ କରାଯାଉଛି।
ସରକାରୀ ସୂଚନା ଅନୁସାରେ, ଚଳିତବର୍ଷ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ପାଇଁ ରାଜ୍ୟ ପ୍ରୋଗ୍ରାମିଂ ବୋର୍ଡ ଦ୍ବାରା ୨୪ଟି ସ୍ଥାନରେ ଅନୁସନ୍ଧାନ କରାଯାଉଛି। ଏହି ଅନୁସନ୍ଧାନ ସମୟରେ ଲୁହାପଥର ଓ ମାଙ୍ଗାନିଜ, ଚୂନପଥର ଓ ଡେଲୋମାଇଟ୍, ଗ୍ରାଫାଇଟ୍, ବେସ୍ମେଟାଲ, ରତ୍ନପଥର ଆଦିର ସନ୍ଧାନ ମିଳିଛି।
ଏ ନେଇ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ଢେଙ୍କାନାଳ ଜୋନ୍ର ଉପନିର୍ଦ୍ଦେଶକ ବିଶ୍ବରଂଜନ ସେଠୀ କହିଛନ୍ତି ଯେ ଦୁଇମାସ ହେଲା ବଡ଼କନ୍ତକୁଳ ଓ କଂଜାରେ ସର୍ଭେ କରାଯାଉଛି। ଅଧିକାରୀମାନେ ସେଠାରେ ରହି ବିଭିନ୍ନ ପରୀକ୍ଷାନିରୀକ୍ଷା କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଗ୍ରାଫାଇଟ୍ ରହିଥିବା କଥା ସ୍ପଷ୍ଟ ହୋଇଛି। ତେବେ କେତେ ପରିମାଣର ଗ୍ରାଫାଇଟ୍ ରହିଛି ଓ ଆଖାପାଖ ଆଉ କେଉଁ ଅଞ୍ଚଳରେ ଏହା ଅଛି ତା’ର ଅନୁସନ୍ଧାନ ଚାଲିଛି। ଅନୁସନ୍ଧାନ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଓ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।