ନିଷେଧାଦେଶ ନା ପ୍ରହସନ? ଅନୁଗୁଳରେ ଗୁଟଖା ଦର ଆକାଶଛୁଆଁ

You are currently viewing ନିଷେଧାଦେଶ ନା ପ୍ରହସନ? ଅନୁଗୁଳରେ ଗୁଟଖା ଦର ଆକାଶଛୁଆଁ

ଅନୁଗୁଳ: ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଟଖା ଓ ପାନମସଲା ବିକ୍ରି ଏବଂ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲେ ହେଁ, ଏହାର ଓଲଟା ପ୍ରଭାବ ଏବେ ବଜାରରେ ଦେଖିବାକୁ ମିଳୁଛି। ବିଶେଷ କରି ଅନୁଗୁଳ ଜିଲ୍ଲାରେ ଗୁଟଖାର କଳାବଜାର ଏବେ ଚରମ ସୀମାରେ ପହଞ୍ଚିଛି। ନିଷେଧାଦେଶର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ମାଲେମାଲ୍ ହେଉଥିବା ବେଳେ ସାଧାରଣ ଖାଉଟି ଓ ଖୁଚୁରା ବିକ୍ରେତା ଶୋଷଣର ଶିକାର ହେଉଛନ୍ତି।

ଅନୁଗୁଳ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଗୁଟଖାର ଚୋରା କାରବାର ଏତେ ବୃଦ୍ଧି ପାଇଛି ଯେ, ମାତ୍ର କେଇଟା ଦିନ ଭିତରେ ଏହାର ଦର ୪ ଗୁଣା ବଢ଼ିଯାଇଛି। ସୂଚନା ଅନୁସାରେ, ପୂର୍ବରୁ ଯେଉଁ ‘ସଫଳ’ ଗୁଟଖା ବସ୍ତା ପ୍ରାୟ ୧୨,୮୫୦ ଟଙ୍କାରେ ମିଳୁଥିଲା, ତାହା ଏବେ କଳାବଜାରରେ ୫୦,୦୦୦ ଟଙ୍କା ଅତିକ୍ରମ କରିଛି। ଗୋଟିଏ ବସ୍ତାରେ ୧୦୦ଟି ପ୍ୟାକେଟ୍ ରହୁଥିବା ବେଳେ, ଗୋଟିଏ ପ୍ୟାକେଟର ମୂଲ୍ୟ ଏବେ ୫୦୦ ଟଙ୍କାରେ ପହଞ୍ଚିଛି।
ଏହି କୃତ୍ରିମ ଅଭାବ ପଛରେ ବଡ଼ ବଡ଼ ହୋଲସେଲ ବ୍ୟବସାୟୀଙ୍କ ହାତ ଥିବା ଅଭିଯୋଗ ହେଉଛି। ମାଲ୍ ମହଜୁଦ ଥାଇ ମଧ୍ୟ ସେମାନେ ଖୁଚୁରା ବ୍ୟବସାୟୀଙ୍କୁ “ଷ୍ଟକ୍ ସରିଗଲାଣି” କିମ୍ବା “ଆଉ ମାଲ୍ ଆସିବନି” କହି ଡରାଉଛନ୍ତି। ପୋଲିସ ଭୟ ଦେଖାଇ ସେମାନେ ଚଢ଼ା ଦରରେ ଗୁଟଖା ବିକ୍ରି କରୁଛନ୍ତି। ଖୁଚୁରା ବ୍ୟବସାୟୀମାନେ ନିଜର ବେପାର ବଞ୍ଚାଇବା ପାଇଁ ବାଧ୍ୟ ହୋଇ ଅଧିକ ଦାମରେ ମାଲ୍ କିଣୁଛନ୍ତି, ଯାହାର ପ୍ରଭାବ ଶେଷରେ ଖାଉଟିଙ୍କ ଉପରେ ପଡ଼ୁଛି। ସାଧାରଣ ପାନ ଓ ଜର୍ଦ୍ଦାର ଦାମ ମଧ୍ୟ ବୃଦ୍ଧି ପାଇ ଏବେ ଗୋଟା ପ୍ରତି ୭ ଟଙ୍କା ବା ତା’ଠାରୁ ଅଧିକରେ ବିକ୍ରି ହେଉଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗୋଟିଏ ପଟେ ସରକାରୀ ନିଷେଧାଦେଶ ରହିଥିବା ବେଳେ ଅନ୍ୟପଟେ କେବଳ ଅନୁଗୁଳ ଜିଲ୍ଲାରୁ ଦିନକରେ କୋଟିଏ ଟଙ୍କାରୁ ଅଧିକ ଗୁଟଖା ବୋହିନିଆଯାଉଛି। ରାତି ଅଧରେ ବଡ଼ ବଡ଼ ଗାଡ଼ିରେ ଗୁଟଖା ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ପାଖରେ ଏହାର କୌଣସି ଖବର ନଥିବା ଭଳି ମନେହେଉଛି। ଏହି କଳାବଜାରରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

ରାଜ୍ୟରେ ନିଶା ଦ୍ରବ୍ୟ ବନ୍ଦ କରିବା ପାଇଁ ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ, ମାତ୍ର ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ବଜାରରେ ମାଲ୍ ମିଳୁଛି, ତେବେ ତାହା କେଉଁ ବାଟ ଦେଇ ଆସୁଛି? କଳାବଜାର ଯୋଗୁଁ ସରକାରଙ୍କ ରାଜସ୍ୱ ହାନି ହେବା ସହ ଅସାଧୁ ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ କରୁଛନ୍ତି।

ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗ ତୁରନ୍ତ ଏକ ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ବିଭିନ୍ନ ଗୋଦାମ ଉପରେ ଚଢ଼ାଉ କରିବାକୁ ସାଧାରଣରେ ଦାବି ହେଉଛି। ଯଦି ସଠିକ୍ ସମୟରେ କଠୋର ପଦକ୍ଷେପ ନିଆନଯାଏ, ତେବେ ଏହି ବେଆଇନ କାରବାର ଆଗକୁ ଆହୁରି ଭୟଙ୍କର ରୂପ ଧାରଣ କରିବ।

Share

Leave a Reply