ଅନୁଗୁଳ: ନିର୍ବାଚନ ପରେ ଏବେ ହାଣ୍ଡିଶାଳ ଉପରେ ପଡ଼ିଛି ଚଡ଼କ। ପୂର୍ବରୁ ଡାଲି, ଚାଉଳ, ତେଲର ମୂଲ୍ୟ ବଢିଥିବା ବେଳେ ଏବେ ପରିବା ବଜାରରେ ଲାଗିଛି ନିଆଁ। ବଢି ଚାଲିଛି ପରିବା ଦାମ୍। କାଙ୍କଡ଼, ବିନ, ଅଦା ଓ ରସୁଣ ପରେ ଏବେ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଆଳୁ ଓ ପିଆଜ ଦର ବଢ଼ିଛି। ଗତ ସପ୍ତାହେ ଭିତରେ ପିଆଜ ଦର ୧୦ ଟଙ୍କାକୁ ବୃଦ୍ଧି ହୋଇ ୪୦ ଟଙ୍କା ହୋଇଥିବା ବେଳେ ଆଳୁ କିଲୋ ୩୫ ଟଙ୍କାକୁ ବୃଦ୍ଧି ହୋଇଛି। ଫଳରେ ଖାଉଟି ଏବେ ଚିନ୍ତାରେ। ଯେଉଁ ପରିବା ୩୦,୪୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୬୦, ୭୦ ଛୁଇଁଛି। ବାଇଗଣ କିଲୋ ୫୦ ଟଙ୍କା, କଲରା କିଲୋ ୮୦, ପୋଟଳ ୬୦ ଛୁଇଁଥିବା ବେଳେ ପିଆଜ ଦର ୪୦ ହୋଇଛି।
ଅନ୍ୟପଟେ ନାସିକରୁ ଆମଦାନୀ ଅଧିକ ଦରରେ ହେଉଥିବା କାରଣରୁ ପିଆଜ ଦର ଏକପ୍ରକାର ବଢୁଥିବା କହିଛନ୍ତି ବ୍ୟବସାୟୀ। ମାସେ ପରେ ପରିବା ଦରରେ ଟିକେ ଆଶ୍ବସ୍ତି ମିଳିପାରେ ବୋଲି ମତ ରଖିଛନ୍ତି ବେପାରୀ।