ସାତକୋଶିଆରେ ଲୋପ ପାଉଛନ୍ତି ହାତୀ, ଉପଯୁକ୍ତ ଖାଦ୍ୟ-ପାନୀୟ ମିଳୁନଥିବା ଅଭିଯୋଗ

You are currently viewing ସାତକୋଶିଆରେ ଲୋପ ପାଉଛନ୍ତି ହାତୀ, ଉପଯୁକ୍ତ ଖାଦ୍ୟ-ପାନୀୟ ମିଳୁନଥିବା ଅଭିଯୋଗ

ଅନୁଗୁଳ: ସାତକୋଶିଆରୁ ଧୀରେ ଧୀରେ ହଜିବାକୁ ବସିଲେଣି ହାତୀ। ସାତକୋଶିଆ ହସ୍ତୀ ସଂରକ୍ଷଣ ପ୍ରକଳ୍ପ ଏବେ ନାଁକୁ ମାତ୍ର ରହିଛି। ଦିନ ଥିଲା ସାତକୋଶିଆରେ ପ୍ରାୟ ୨ ଶହରୁ ଅଧିକ ହାତୀ ବିଚରଣ କରୁଥିଲେ। ହେଲେ ଏବେ ସେହି ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଖାଦ୍ୟ ଓ ପାଣିର ଅଭାବ ଯୋଗୁଁ ହାତୀମାନେ ଧୀରେ ଧୀରେ ଗାଁ ମୁହାଁ ହେଉଛନ୍ତି।

ସାତକୋଶିଆ ଭିତରେ ହାତୀଙ୍କର ପ୍ରମୁଖ ଖାଦ୍ୟ ବାଉଁଶ ଓ ଶାଳ ଗଛ ଲୋପ ପାଉଛି। ଏହି ଅଭୟାରଣ୍ୟରେ ଖାଦ୍ୟ ସହ ପ୍ରାକୃତିକ ନାଳ ଓ ଜଳାଶୟ ଗୁଡିକରେ ବର୍ଷ ତମାମ ପାଣି ରହୁଥିଲା। ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ମିଳୁଥିବାରୁ ଶତାଧିକ ହାତୀ ଏଠାରେ ଡେରା ପକାଉଥିଲେ। ସାତକୋଶିଆକୁ ଲାଗି ରହିଥିବା ଢେଙ୍କାନାଳ, ଆଠମଲ୍ଲିକ, ଆଠଗଡ଼ ଆଦି ଜଙ୍ଗଲରୁ ମଧ୍ୟ ହାତୀ ଏଠାକୁ ଆସି ରହୁଥିଲେ। ହାତୀଙ୍କର ସ୍ଥିତି ଦେଖି ସରକାର ଗତ ୨୦୦୨ରେ ସାତକୋଶିଆକୁ ହସ୍ତୀ ସଂରକ୍ଷଣ ପ୍ରକଳ୍ପ ଘୋଷଣା କରିଥିଲେ। ଗତ ୨୦୧୭ରେ ଶେଷ ଥର ପାଇଁ କରାଯାଇଥିବା ହାତୀ ଗଣନାରୁ ସାତକୋଶିଆରେ ୨୩୪ଟି ହାତୀ ଥିବା ଜଣା ପଡିଥିଲା। ହେଲେ ଏବେ କିଛି ବର୍ଷ ହେଲା ଖରାଦିନେ ସାତକୋଶିଆ ଭିତରେ ଆଦୌ ହାତୀ ଦେଖିବାକୁ ମିଳୁ ନାହାନ୍ତି। ଏହାର କାରଣ ସାତକୋଶିଆ ଭିତରେ ଆଦୌ ବାଉଁଶ ଗଛ ଦେଖିବାକୁ ମିଳୁନାହିଁ। ଜଙ୍ଗଲ ସୃଷ୍ଟି ନାଁରେ ବ୍ୟାପକ ସାଗୁଆନ ଗଛ ଲଗା ଯାଇଛି। ସେହିଭଳି ଜଳବାୟୁରେ ପରିବର୍ତ୍ତନ ଯୋଗୁ ଅଧିକାଂଶ ନାଳ ଓ ଜଳାଶୟ ମାର୍ଚ୍ଚ ମାସ ଆରମ୍ଭରୁ ଶୁଖି ଯାଉଛି। ତେଣୁ ଖାଦ୍ୟ ଓ ପାଣି ଅଭାବ ଯୋଗୁଁ ହାତୀ ଜଙ୍ଗଲ ଭିତରେ ରହୁ ନାହାନ୍ତି। କିଛି ବର୍ଷ ହେଲା ସାତକୋଶିଆ ଆଖପାଖରେ ଥିବା ଗାଁ ଗୁଡିକରେ ହାତୀ ସ୍ଥାୟୀ ଭାବେ ରହୁଛନ୍ତି। ବର୍ଷା ଦିନେ ଧାନ, ଆଖୁ ଓ ପନିପରିବା ଖାଇ ବ୍ୟାପକ ନଷ୍ଟ କରୁଛନ୍ତି। ଖରାଦିନେ ଆମ୍ବ, ପଣସ ଓ ତାଳ ମିଳୁଥିବାରୁ ସେ ସ୍ଥାନ ଛାଡି ଯାଉ ନାହାଁନ୍ତି। ଏହାଛଡା ଗାଁ ଗହଳିରେ ଥିବା ପୋଖରୀ ଗୁଡିକରେ ପର୍ଯ୍ୟାପ୍ତ ପାଣି ମିଳୁଛି। ଏସବୁ କାରଣରୁ ହାତୀ ଜଙ୍ଗଲ ଭିତରେ ନରହି ବାହାରେ ବୁଲୁଛନ୍ତି। ଏହାଦ୍ୱାରା ଲୋକଙ୍କର ବ୍ୟାପକ କ୍ଷତି ହେଉଛି। ଅନେକ ଜୀବନ ମଧ୍ୟ ଯାଉଛି। ତେଣୁ ବନ ବିଭାଗ ଏବେଠାରୁ ସଜାଗ ହେବାର ସମୟ ଆସିଛି। ନଚେତ ହାତୀଙ୍କର ଖାଦ୍ୟ ଶୈଳୀରେ ପରିବର୍ତନ ହୋଇଗଲେ ସେମାନେ ଆଉ କେବେ ହେଲେ ଜଙ୍ଗଲ ଭିତରକୁ ନଯାଇ ଏଭଳି ଲୋକଙ୍କ ଜୀବନ ଜୀବିକା ନଷ୍ଟ କରି ଚାଲୁଥିବେ।

ଅନ୍ୟପଟେ ସାତକୋଶିଆ ଡିଏଫଓ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ସାତକୋଶିଆରେ ହାତୀଙ୍କ ପାଇଁ ଖାଦ୍ୟର ଅଭାବ ନାହିଁ। ହାତୀ ଯାଯାବର ପ୍ରାଣୀ ହୋଇ ଥିବାରୁ ଗୋଟିଏ ସ୍ଥାନରେ ରୁହନ୍ତି ନାହିଁ। କିଛି ଦିନ ପରେ ପୁଣି ସେମାନେ ଜଙ୍ଗଲ ଭିତରକୁ ଫେରି ଆସିବେ।

Share

Leave a Reply