ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଯୁବକ ଗିରଫ

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁ ଦେଶୀମଦ ଭାଟିର କର୍ମଚାରୀଙ୍କୁ ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି।

ପ୍ରକାଶ ଯେ, ଗଡ଼ତରାଶ ଦେଶୀମଦ ଭାଟିର କର୍ମଚାରୀ ବିହାର ଅଞ୍ଚଳର ଶିବଶରଣ ରାୟ(୩୨) ଗତ ୧୪ ତାରିଖ ସନ୍ଧ୍ୟାରେ ଗାଁର ଏକ ଦୋକାନକୁ ସଉଦା ପାଇଁ ଯାଉଥିବା ବେଳେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରି ସେଠାରୁ ପଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଅଭିଯୋଗ ପାଇବାପରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ଶନିବାର ପଞ୍ଜାବ ଅଞ୍ଚଳର ରିଙ୍କୁ ଖାନ୍(୨୪) ନାମକ ଜଣେ ଯୁବକ ଯିଏ କି ଅନୁଗୁଳରେ ରୁହନ୍ତି ଓ ଅନ୍ୟ ଜଣେ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁର ସିପୁନ ଦାସ(୨୬)ଙ୍କୁ ଗିରଫ କରିଛି।

ସେମାନଙ୍କୁ ପଚରାଉଚୁରାକରି ପୁଲିସ ଜାଣିବାକୁ ପାଇଛି ଯେ, ୫ ହଜାର ଟଙ୍କା ସୁପାରୀ ନେଇ ସେମାନେ ଶିବଶରଣଙ୍କୁ ଆକ୍ରମଣ କରିଥିଲେ। ତେବେ କିଏ ସୁପାରୀ ଦେଇଥିଲା ସେ ସମ୍ପର୍କରେ ପୋଲିସ ଖୋଳତାଡ଼ କରୁଛି। ଏହାପରେ ଅନେକ ତଥ୍ୟ ବାହାରିବ ବୋଲି ପୁଲିସ ଆଶାପ୍ରକଟ କରିଛି ।

ସୂଚନା ଥାଉ କି ଏହି ଅଭିଯୁକ୍ତମାନେ ସୁପାରୀ ନେଇ ଗତ କିଛି ଦିନ ତଳେ ଅନୁଗୁଳ ପୌର ପରିଷଦର ଜଣେ କାଉନ୍‌ସିଲରଙ୍କୁ ଆକ୍ରମଣ କରିଥିଲେ।

Leave A Reply

Your email address will not be published.

error: Content is protected !!